Odiapua.com

ନିଜସ୍ୱ ରଣନୀତିରେ ବିଜୟୀ ହେଲେ ଦୀପାଳି

– ପ୍ରଥମଥର ବିଧାୟିକା ଓ ମନ୍ତ୍ରୀ – ସୂତ୍ର
ଆସନ୍ତା କାଲି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ଅଛି। ଏହି ଅଦଳ ବଦଳରେ ଝାରସୁଗୁଡାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ ମନ୍ତ୍ରୀ ହେବେ ବୋଲି ବିସ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି।

ଝାରସୁଗୁଡା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିଜେଡ଼ି ପ୍ରାଥୀନି ଦୀପାଳି ଦାସ ଏହି ଉପନିର୍ବାଚନରେ ବିଜୟ ଲାଭ କରିଛନ୍ତି। ଏହି ବିଜୟ ପରେ ବିଜେଡ଼ି ଶିବିର ଅନେକ ଉତ୍ସାହିତ। ବିଜେଡ଼ି ନେତାମାନେ ବିଭିନ୍ନ ଉତଫୁଲିତ ବୟାନ ଦେବେ। ସେଠାରେ ଯାଇ ରଣନୀତି ପ୍ରସ୍ତୁତ କରୁଥିବା ନେତୃବୃନ୍ଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସକାଶେ ବିଜେଡ଼ି ଏହି ବିଜୟ ଲାଭ କଲା। ମାତ୍ର ଗ୍ରାଉଣ୍ଡ ଜିରୋର ବାସ୍ତବତା କିଛି ଅଲଗା ଥିଲା। ନବ ଦାସଙ୍କ ମୃତ୍ୟୁ ପରଠାରୁ ଓ ଦୀପାଳି ବିଜେଡ଼ି ଟିକଟ ପାଇବା ପର୍ଯ୍ୟନ୍ତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ୬୨ ଟି ସଭା କରି ସାରିଥିଲେ। ତେଣୁ ଦୀପାଳିଙ୍କୁ ବିଜେଡ଼ି ଟିକଟ ଦବା ଏକ ପ୍ରକାର ନିଶ୍ଚିତ ଥିଲା। ଯଦି ଦଳ କିଛି ଭି ଗୋଳମାଳ କରିଥାନ୍ତା ତେବେ ଦୀପାଳି ବିଜେପି ଟିକଟ ନେଇ ଲଢ଼ିବାଟା ଏକ ପ୍ରକାର ଚୂଡାନ୍ତ ଥିଲା। ଏହା ତ ପରବର୍ତ୍ତୀ ଆଲୋଚନା। ବ୍ୟବସାୟିକ କ୍ଷେତ୍ରରେ ସ୍ବର୍ଗତ ନବ ଦାସ ଭାରତ ବର୍ଷରେ ଜଣେ ସଫଳ ବ୍ୟବସାୟୀ ପାଲଟି ସାରିଥିଲେ। ଅର୍ଥର ଅଭାବ ନାହିଁ ତାଙ୍କ ପରିବାର ପାଖରେ। ପୂର୍ବ ଯୋଜନା ଅନୁଯାୟୀ ତାଙ୍କ ପୁଅ ବ୍ୟବସାୟ ସମ୍ଭାଳିବେ ଓ ଦୀପାଳି ରାଜନୀତି କରିବେ। ନବ ଦାସ ଜୀବିତ ଥିବା ସମୟରେ ତାଙ୍କ ପୁଅକୁ ବ୍ୟବସାୟର ଦାୟିତ୍ୱ ଦେଇସାରିଥିଲେ। ଯେହେତୁ ସେ ରାଜନୀତିରେ ବ୍ୟସ୍ତ ରହୁଥିଲେ। ନବ ଦାସଙ୍କ ସୁପୁତ୍ର ଦିଲ୍ଲୀର ଜଣେ ସଫଳ ପଂଜାବୀ ବ୍ୟବସାୟୀଙ୍କ ଘରେ ବିବାହ କରିଛନ୍ତି। ଏହି ବ୍ୟବସାୟୀଙ୍କର କେନ୍ଦ୍ର ସରକାରରେ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଅମିତ ସାହାଙ୍କ ସହିତ ଅତି ନିବିଡ଼ ସମ୍ପର୍କ ବୋଲି ସୂତ୍ରରୁ ଜଣା ପଡ଼ିଛି। ସୂତ୍ରରୁ ଜଣା ପଡ଼ିଛି ଯେ, ନିଜ ସମୁଦିଙ୍କ ସକାଶେ ନବ ଗୁଜୁରାଟରେ ମଧ୍ୟ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି କରି ପାରିଥିଲେ। ତେଣୁ ନବ ଦାସକର ସେପଟ ଅଂଚଳରେ ସମ୍ପୂର୍ଣ୍ଣ ରାଜନୈତିକ ଓ ବ୍ୟବସାୟିକ ଦବଦବା ଥିଲା। ନବ ଦାସ ୨୦୧୯ ମସିହାରେ ବିଜେଡ଼ିରେ ଯୋଗ ଦେଲେ। ତା ପୂର୍ବରୁ ସେ କଂଗ୍ରେସରୁ ଦୁଇ ଥର ବିଧାୟକ ହୋଇ ସାରିଥିଲେ। ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବରେ ସେ ତାଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରସ୍ତୁତ କରିସାରିଥିଲେ। ନବ ଦାସ ଝାରସୁଗୁଡାରେ ଏତେ ପ୍ରଭାବଶାଳୀ ନେତା ଥିଲେ ଯେ ୨୦୧୪ ସାଧାରଣ ନିର୍ବାଚନରେ ଖୋଦ ମୁଖ୍ୟମନ୍ତ୍ରୀ ଯାଇଥିଲେ ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କ ପ୍ରଚାରରେ। ମାତ୍ର କିଶୋର ମହାନ୍ତି ନବ ଦାସଙ୍କ ଠାରୁ ନିର୍ବାଚନ ହାରିଯାଇଥିଲେ। କେଉଁ ପରିସ୍ଥିତିରେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟିଲା ତାହା ଏବେ ଭି ରହସ୍ୟାବୃତ୍ତ ହୋଇ ରହିଛି। ତେଣୁ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ସଂଗଠନ ପୁରା ଦୀପାଳି ଦାସ ନିଜ ଅକ୍ତିୟାରକୁ ନେଇ ସାରିଥିଲେ । ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡ଼ି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା। ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା କଲା। ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବିଜେଡ଼ିର କିଛି ଆଖିଦୃଶିଆ ନେତା ସେଠାରେ ଉପସ୍ଥିତ ରହିଲେ। ମାତ୍ର ପ୍ରଚାର ସମୟରେ କାହାର ଦେଖା ନ ଥିଲା। ବିଜେଡ଼ି ମନ୍ତ୍ରୀ, ବିଧାୟକ ସବୁ ଝାରସୁଗୁଡାରେ ଡେରା ପକାଇଥିଲେ। ହେଲେ ପ୍ରଚାର ମୈଦାନରେ କେବଳ ବର୍ଷା ସିଂ ବରିହା, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଅଳକା ମହାନ୍ତି, ରିତା ସାହୁଙ୍କୁ ଦୀପାଳିଙ୍କ ସହିତ ଦେଖିବାକୁ ମିଳି ଥିଲା। ନିର୍ବାଚନ ସମୟରେ ଯେତେ ସଭାସମିତି ହେଇଛି କେବଳ ଏହି ନେତ୍ରୀମାନେ ଦୃଷ୍ଟି ଗୋଚର ହେଉଥିଲେ। ସୂତ୍ରରୁ ଜଣାପଡ଼ିଛି ଯେ ଦୀପାଳିଙ୍କ ଏହା କଡା ଆଭିମୁଖ୍ୟ ଥିଲା। ଅନ୍ୟ ଏକ ସୂତ୍ରରୁ ଜଣା ପଡ଼ିଛି ଯେ ନବଙ୍କ ମୃତ୍ୟୁ ପରେ କିଛି ତଥାକଥିତ ବାହୁବଳୀ ବିଜେଡ଼ି ନେତା ନବଙ୍କ ବ୍ୟବସାୟିକ ସମ୍ରାଜ୍ୟକୁ ଅକ୍ତିୟାର କରିବା ଲକ୍ଷ୍ୟରେ ଅଛନ୍ତି। ସେଥିପାଇଁ ଦୀପାଳି ଏହି ନେତାମାନଙ୍କ ପ୍ରଚାରରେ ରୋକ ଲଗାଇଲେ। ଯେଉ ନେତାମାନେ ଗଡ଼ ଜିଣି ବାହାବା ନେବାକୁ ଝାରସୁଗୁଡା ଯାଇଥିଲେ ସେମାନେ କେବଳ ହୋଟେଲ ରୁମରେ ରହି ଫେରିଛନ୍ତି। ଏପରିକି ଦୀପାଳିଙ୍କୁ ନିର୍ବାଚନୀ ଦଳୀୟ ପାଣ୍ଠି ଦିଆ ଯାଇଥିଲା। ତାକୁ ମଧ୍ୟ ସେ ଗ୍ରହଣ କାଳେ ନାହିଁ। ଦରକାର ହେଲେ କହିବି ବୋଲି କହିଥିଲେ। ଆହୁରି ମଧ୍ୟ ସୂତ୍ରରୁ ଜଣା ପଡ଼ିଛି ଯେ ଦୀପାଳି ଚାହୁଁ ନ ଥିଲେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରକୁ ଆସନ୍ତୁ ବୋଲି। କାରଣ ନିର୍ବାଚନ ଜିତିଲେ ସବୁ ଶ୍ରେୟ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ଦଳ ଡ଼ିମିଣ୍ଡ ପିଟିବ। ଦୀପାଳି ଓ ତାଙ୍କ ସମର୍ଥକଙ୍କ ମତରେ ୨୦୧୪ ମସିହାରେ ନବୀନ ପଟ୍ଟନାୟକ ଆସି ମଧ୍ୟ ନବ ଦାସଙ୍କୁ ଝାରସୁଗୁଡାରେ ହରାଇ ପାରି ନ ଥିଲେ।

ଉପନିର୍ବାଚନ ସିନା ବିଜେଡ଼ି ଟିକଟରୁ ଦୀପାଳି ନିର୍ବାଚନ ଜିତିକରି ଆସିଲେ। ମାତ୍ର ୨୦୨୪ ସାଧାରଣ ନିର୍ବାଚନରେ ଝାରସୁଗୁଡାରେ ଏକ ବିରାଟ ରାଜନୈତିକ ପଟ୍ଟପରିବର୍ତନ ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ନବ ଦାସଙ୍କ ମୃତ୍ୟୁ ରହସ୍ୟ ନିଶ୍ଚିନ୍ତ ଭାବରେ ପଶ୍ଚିମାଞ୍ଚଳ ରାଜନୀତିରେ ୨୦୨୪ ନିର୍ବାଚନରେ ଘୋର ପ୍ରଭାବ ପକାଇବ ବୋଲି ସାଧାରଣ ଜନତା ଏବେ ଠାରୁ ଆକଳନ କଲେଣି ।

ପ୍ରିୟ ରଞ୍ଜନ ସାହୁ