Odiapua.com

ନିଜକୁ ପୋଲିସ ପରିଚୟ ଦେଇ ଡକାୟତି ମାମଲାରେ ସକ୍ରିୟ ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ: ମନ୍ଦିର ପୂଜକଙ୍କୁ ଉକ୍ତ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଲୁଟ ଅଭିଯୋଗ

ବଲାଙ୍ଗୀର/ଟିଟିଲାଗଡ, ୧୨-୦୬ : (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ବିଗତ ଦିନରେ ନିଜକୁ ପୋଲିସ ପରିଚୟ ଦେଇ ବାରମ୍ବାର ଲୁଟ, ଆକ୍ରମଣ, ସହ ଡକାୟତି ଘଟଣା ଘଟିଚାଲିଥିବା ବେଳେ ଟିଟିଲାଗଡ ସହର ୱାର୍ଡ ନଂ ୧୪ ସ୍ଥିତ କାଳୀ ମନ୍ଦିର ପୂଜକ ସ୍ଵାମୀ ଅଧିଶ୍ରା ନନ୍ଦଙ୍କୁ ଗତ ରାତି ୧୦ ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ମାରଣାନ୍ତକ ଆକ୍ରମଣ କରିବା ସହ ଲୁଟ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜକ ଙ୍କ କହିବା ଅନୁଯାୟୀ ସେ ଗତ ରାତି ରେ ମନ୍ଦିର ପରିସର ରେ ଥିବା କୋଠରୀରେ ଶୋଇଥିବା ବେଳେ ଦୁଇ ଜଣ ଅଜ୍ଞାତ ଯୁବକ ନିଜକୁ ପୋଲିସ ବୋଲି ପରିଚୟ ଦେଇ କବାଟ ଖୋଲିବା ପାଇଁ କହିଥିଲେ। ସେ ପୋଲିସ ଭାବି କବାଟ ଖୋଲିବାରୁ ଦୂର୍ବୁର୍ତ୍ତମାନେ ତାଙ୍କୁ ମାଡ ମାରି ପାଖରେ ଥିବା କିଛି ଟଙ୍କା, ମୋବାଇଲ ଫୋନ ଏବଂ ମନ୍ଦିର ପରିସରର ପୂଜା ବାସନ, ପିତ୍ତଳ କଂସା ଇତ୍ୟାଦି ନେଇ ଫେରାର ମାରିଥିଲେ। ସକାଳୁ ପୋଲିସ ସୂଚନା ପାଇ ଅନୁସନ୍ଧାନ ଚଳାଇଥିବା ବେଳେ ପୂଜକଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ପଠାଇ ଥିବା ସୂଚନା ମିଳିଛି। ଏହି ପରି ନିଜକୁ ପୋଲିସ କହି ଲୁଟ, ରାହାଜାନୀ, ଡକାୟତି ପରି ମାମଲା ଏହି ଅଞ୍ଚଳରେ ବଢି ଚାଲିଥିବା ବେଳେ ଅନେକ ମାମଲା ରୁଜ୍ଜୁ କରାଯାଇଥିବା ଓ ଅଧିକାଂଶ ଘଟଣା ନେଇ ପୋଲିସ ରେ ଏତଲା ଦିଆଯାଉ ନ ଥିବା ବେଳେ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରେ ଦୃଢ଼ ଦାବୀ କରାଯାଉଛି।