Odiapua.com

ନିଖୋଜ ଯୁବକଙ୍କ ମୃତଦେହ ୩ଦିନ ପରେ ପୋଖରୀରୁ ମିଳିଲା, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ଥାନା ଗୁଆମାଳ ପଂଚାୟତ ଅଧୀନ ବିଶ୍ୱନାଥପୁର ଗ୍ରାମର ଦୀପ୍ତିକାନ୍ତ ପାଣିଗ୍ରାହୀ (୪୨)ନାମକ ଜଣେ ଯୁବକ ଗୁରୁବାର ରାତିରୁ ନିଖୋଜ ହୋଇଯାଇଥିଲେ। ଏସମ୍ପର୍କରେ ତାଙ୍କ ସାନ ଭାଇ ମୁକ୍ତିକାନ୍ତ ପାଣିଗ୍ରାହୀ ଶୁକ୍ରବାର ଦିନ ଥାନାରେ ଜଣାଇଥିଲେ। ମାତ୍ର ରବିବାର ଦୀପ୍ତିକାନ୍ତର ମୃତଦେହକୁ ଗ୍ରାମର ଏକ ପୋଖରୀରୁ ପୋଲିସ ଜବତ କରିଥିବା ଜଣାଯାଇଛି। ତେବେ ମୃତ ଯୁବକଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଦୀପ୍ତିକାନ୍ତଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆ ଯାଇଥିବା ତାଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ ୩୩/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଘଟଣାରୁ ପ୍ରକାଶ ଯେ ଗତ ଗୁରୁବାର ରାତିରେ ଦୀପ୍ତିକାନ୍ତ ଖେଳ ଦେଖିବାକୁ ଯିବା କଥା କହି ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଥିଲା । ଦୀପ୍ତିକାନ୍ତ ଘରେ ମୋବାଇଲ ରଖିଦେଇ ଯାଇଥିବାରୁ ତାଙ୍କୁ ଫୋନ କରିବା ସମ୍ଭବ ହୋଇନଥିଲା । ପରଦିନ ମଧ୍ୟ ସେ ଘରକୁ ନଫେରିବାରୁ ତାଙ୍କ ସାନଭାଇ ଥାନାର ନିଖୋଜ ହେବା ନେଇ ଜଣାଇଥିଲେ । ତେବେ ରବିବାର ସକାଳେ ନିଖୋଜ ଯୁବକଙ୍କ ମୃତଦେହ ଗ୍ରାମର ଏକ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବର ପାଇ ଆଇଆଇସି ଲୋପାମୁଦ୍ରା ନାୟକ, ଏସଆଇ ପ୍ରକାଶ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୃତ ଯୁବକଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏହା ହତ୍ୟା ଘଟଣାକି ନୁହେଁ ତାହା ଉନ୍ମୋଚିତ ହେବ ବୋଲି ଆଇଆଇସି ନାୟକ କହିଛନ୍ତି ।