Odiapua.com

ନିଖୋଜ ଛାତ୍ରର ମୃତଦେହ ମହାନଦୀରୁ ମିଳିଲା

ନିଶ୍ଚିନ୍ତକୋଇଲି, ୨୨/୭ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତର କୂଳ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ର ସାଇ କୃଷ୍ଣ ମିଶ୍ରର ନିଖୋଜ ଘଟଣାରୁ ଏବେ ପର୍ଦା ଉଠିଛି। ମହାନଦୀର ତଇଲୋ ଗ୍ରାମ ନିକଟରେ ପାଣିରେ ଭାସୁଥିବା ଉକ୍ତ ବାଳକର ଶବକୁ ଉଦ୍ଧାର କରାଯାଇଛି। ସାଇ କୃଷ୍ଣଙ୍କ ପିତା ବରଦା ମିଶ୍ରଙ୍କ ଘର ଜଗତସିଂହପୁର ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୁଳ ରେ ଏକ ଭଡା ଘରେ ରହିଥାନ୍ତି। ପୁଅ ଉତ୍ତରକୁଳ ହାଇ ସ୍କୁଲରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ ବୟସ ୧୪ ବୋଲି ଜଣାପଡିଛି। ସେ ଗତ ବୁଧବାର ସ୍କୁଲକୁ ଅନଲାଇନ କ୍ଲାସ୍ କରିବାକୁ ଆସି ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ମାହାଳ ହାଟ ସ୍ଥିତ ମହାନଦୀ କୂଳ ରେ ତାଙ୍କ ଡ୍ରେସ, ବ୍ୟାଗ୍ ଓ ଗାମୁଛା ପଡି ରହିଥିଲା। ଏହା ଦେଖି ପରିବାର ଲୋକ ଭୟଭୀତ ହୋଇଯାଇଥିଲେ। ପରିବାର ଲୋକ କହିବା ଅନୁସାରେ ଅନଲାଇନ କ୍ଲାସ୍ କରିବାକୁ ଆସି ଏ ଭଳି ଘଟଣା ଘଟିଛି ବୋଲି ଗତକାଲି ମାହାଳ ହାଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କିଶନନଗର ପୋଲିସ ଓ ମାହାଳ ହାଟ ପୋଲିସ ମିଳିତ ଭାବେ ଛାନ ଭିନ୍ ଆରମ୍ଭ କରିଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗ ର ଏକ ସ୍ଵତନ୍ତ୍ର ଟିମ୍ ଆସି ତାରପୁର ସ୍ଥିତ ମହାନଦୀ ରେ ଖୋଜା ଖୋଜି କରିଥିବା ବେଳେ କୌଣସି ସନ୍ଧାନ ପାଇନଥିଲେ। ପରବର୍ତ୍ତୀ ସମୟରେ ତଇଲୋ ଗ୍ରାମ ନିକଟରେ ନଦୀ ରେ ଶବଟି ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ।