Odiapua.com

ନିକୁଞ୍ଜ ବିହାରୀ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ନୀତି ପାଳିତ

ବାଲିଅନ୍ତା / ଭୁବନେଶ୍ୱର, ତା ୧୨ା୮ (ଓଡ଼ିଆ ପୁଅ) : ବାଲିଅନ୍ତା ନିକୁଞ୍ଜବିହାରୀ ଦେବଙ୍କ ମନ୍ଦିରରେ ଦୁଇଦିନିଆ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନୀତି ସାମାଜିକ ଦୂରତା ଅବଲମ୍ବନ କରାଯାଇ ଭକ୍ତଶୂନ୍ୟ ଉତ୍ସବ ପାଳିତ ହୋଇଯାଇଛି। କରୋନା ସଂକ୍ରମଣ କାରଣରୁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ବନ୍ଦ କରାଯାଇ ମନ୍ଦିର ମଧ୍ୟରେ ପୂଜାବିଦ୍ଧି, ହୋମଯଜ୍ଞ ପାଳନ କରାଯାଇଥିଲା। ଭକ୍ତଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ ବାଲିଅନ୍ତା ଥାନା ତରଫରୁ ପୋଲିସ୍ ମୁତୟନ ହୋଇଥିଲା। ମନ୍ଦିର ମୁଖ୍ୟ ପୂଜକ ପଣ୍ଡିତ ଶ୍ରୀଧର ଦାଶ ମନ୍ଦିର ପରିସର ଗାନ୍ଧିପୀଠରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ହରିବଂଶ ପାଠ କରିଥିଲେ। ସ୍ଥାନୀୟ ଯାଦବ ମାନଙ୍କର ଜନ୍ମାଷ୍ଟମୀରେ ଲଉଡ଼ି, ଘାଗୁଡ଼ି, ଶିଙ୍ଗା, ବଂଶୀପୂଜା ପ୍ରତୀକାତ୍ମକଭାବେ ସମ୍ପାଦକ କୃଷ୍ଣକେଶବ ଆପଟ ମନ୍ଦିର ବାହାରେ ପ୍ରଦର୍ଶନ କରି ପ୍ରଭୁଙ୍କ ଅନୁମତି ଭିକ୍ଷା କରିଥିଲେ। ନନ୍ଦୋତ୍ସବରେ ମନ୍ଦିର ବେଢ଼ା ମଧ୍ୟରେ ଶ୍ରୀକୃଷ୍ଣ ବଳରାମଙ୍କ ଗୋପ ପରିକ୍ରମା ନୀତି ପାଳନ କରାଯାଇ ବିଶ୍ୱକୁ କରୋନା ମହାମାରୀ ପ୍ରକୋପରୁ ସୁରକ୍ଷା ପାଇଁ ପ୍ରାର୍ଥନା କରାଯାଇ ଉତ୍ସବ ସମାପନ କରାଯାଇଥିଲା। ସରକାରଙ୍କ କୋଭିଡ୍ ନିୟମ ଆଧାରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ୍ଦିରକୁ ନ ଆସି ନିଜ ବାସଗୃହରେ ପୂଜାର୍ଚ୍ଚନା କରି ଆସନ୍ତା ବର୍ଷକୁ ଦର୍ଶନ ନିମିତ୍ତ ପ୍ରଭୁଙ୍କ କରୁଣା ଭିକ୍ଷା କରିଥିଲେ।