Odiapua.com

ନିଆରା ସମାଜସେବୀ ରୋଟାରିଆନ୍ ଶାନ୍ତିସୂରୂପ ମିଶ୍ର, ବିଦ୍ୟାର୍ଥୀ ବିକାଶ ମଂଚ ତରଫରୁ କୃତଜ୍ଞତା

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ଦୁନିଆ ଓ ଯୁବ ବର୍ଗଙ୍କ ପାଇଁ ଏକ ଭଲ ଖବର । ଭଦ୍ରକର ଯୁବ ସମାଜସେବୀ ତଥା ରୋଟାରିଆନ୍ ଶାନ୍ତିସୂରୁପ ମିଶ୍ର ଅନ୍ୟ ମାନଙ୍କ ପାଇଁ କିଛି ନିଆରା ଉଦାହରଣ ସାଜିଛନ୍ତି । ଗତ ୨ବର୍ଷ ଧରି ଭଦ୍ରକର ଅଗ୍ରଣୀ ଅନୁଷ୍ଠାନ ବିଦ୍ୟାର୍ଥୀ ବିକାଶ ମଂଚ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଜ ଆର୍ଥିକ ଉଦ୍ୟମରେ ଚଲାଉଥିବା ନର୍ସରୀରୁ ଗଛ ପ୍ରଦାନ କରି ବୃକ୍ଷରୋପଣ ପରି ମହତ୍ କାର୍ଯ୍ୟ କରିଚାଲିଛନ୍ତି । ଏ ବର୍ଷ ମଧ୍ୟ ବ୍ୟାପକ ବୃକ୍ଷରୋପଣ ସହିତ ଚଳିତ ମାସ ୨୮ ତାରିଖରେ ରାନ୍ଦିଆ ପଂଚାୟତର ଏକ ସ୍ଥାନରେ ଏକକାଳୀନ ୫୦୦୦ଗଛ ଲଗାଇବା ଓ ତାହାର ରକ୍ଷଣାବେକ୍ଷଣ ପାଇଁ ଦାୟୀତ୍ୱ ନେବା ପରି କାର୍ଯ୍ୟ ସେ କରିବାର ମହାନ୍ ପ୍ରୟାସ କରିଛନ୍ତି । ଏହି କାର୍ଯ୍ୟରେ ବିଦ୍ୟାର୍ଥୀ ବିକାଶ ମଂଚର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଓ ମଂଚର କର୍ମକର୍ତ୍ତାଗଣ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଥି ସହିତ ଭଦ୍ରକ ଡିଆର୍‌ଡିଏ ନିକଟସ୍ଥ ବାଗୁରାଇ ଆଦିବାସୀ କଲୋନିର ବିପନ୍ନ ଓ ଅନାଥ ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢ଼ିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଉକ୍ତ ଅନୁଷ୍ଠାନ ମାଧ୍ୟମରେ ପ୍ରଦାନ କରୁଛନ୍ତି । ଏହା ବ୍ୟତିତ ସେହି ଆଦିବାସୀ କଲୋନିରେ ୨୦୧୦ ମସିହାରୁ ଚାଲିଆସିଥିବା ବିଦ୍ୟାର୍ଥୀ ବିକାଶ ମଂଚର ସଂସ୍କାର କେନ୍ଦ୍ର ଗୃହର ମରାମତି ପାଇଁ ଦଶ ହଜାର ଟଙ୍କାର ଅର୍ପଣ ରାଶୀ ପ୍ରଦାନ କରିଛନ୍ତି । ଏଥି ପାଇଁ ଉକ୍ତ ମଂଚର ମୁଖ୍ୟ ଉପଦେଷ୍ଟା ପ୍ର. ଡ଼ ଦେବେନ୍ଦ୍ର ରାଉତ, ବରିଷ୍ଠ ଉପଦେଷ୍ଟା ପ୍ର. ଡ. ବ୍ରଜ ମୋହନ ମିଶ୍ରଙ୍କ ସମେତ ସମସ୍ତ ଉପଦେଷ୍ଟା ଓ କର୍ମକର୍ତ୍ତାଗଣ ଶ୍ରୀ ମିଶ୍ର୍ରଙ୍କୁ କୃତଜ୍ଞତା ଜଣାଉଛନ୍ତି । ଶ୍ରୀ ମିଶ୍ରଙ୍କର ଏପରି ବଦାନ୍ୟତା ସମାଜର ବାସ୍ତବ ମଙ୍ଗଳ ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ବିଦ୍ୟାର୍ଥୀ ବିକାଶ ମଂଚର ମୁଖ୍ୟ ଉପଦେଷ୍ଟା ଡଃ ରାଉତ ପ୍ରକାଶ କରିଛନ୍ତି ।