Odiapua.com

ନାହିଁ ନାହିଁରେ ଚାଲିଛି ଉଦ୍ୟାନ ବିଭାଗ କାର୍ଯ୍ୟାଳୟ

କୋଦଳା :୧୨/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବେଗୁନିଆପଡ଼ା ବ୍ଲକର ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ବହୁ ଅବ୍ଯବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ବିଭିନ୍ନ ପଞ୍ଚାୟତରେ ଉଦ୍ୟାନ ସୃଷ୍ଟି କରିବା, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ, କାଜୁ ଜଙ୍ଗଲ ସୃଷ୍ଟି ଭଳି କାର୍ଯ୍ୟ ଏହି ବିଭାଗ ଦ୍ଵାରା ହେଉଥିବା ବେଳେ ବିଭାଗୀର ସ୍ଥାୟୀ କାର୍ଯାଳୟ ନଥିବାରୁ ବ୍ଲକର ଏକ ଅସ୍ଥାୟୀ କୋଠରୀରେ ଦୀର୍ଘ ଦିନ ଧରି ଚାଲିଛି ଏହି କାର୍ଯ୍ଯାଳୟ। ସବୁଠାରୁ ବଡ କଥା ହେଲା ଏହି ବିଭାଗରେ ସ୍ଥାୟୀ ଅଫିସର ତଥା ଏ ଏଚ୍ ନାହାଁନ୍ତି। ଖଲିକୋଟ ବ୍ଲକ ଏ ଏଚ୍ ଓ କୁଂ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯାହାଫଳରେ କି ସଂପୃକ୍ତ ଅଧିକାରୀ ଉଭୟ ବ୍ଲକରେ କାର୍ଯ୍ୟକରିବା କଷ୍ଟକର ହୋଇଥାଏ। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ସାରା ଜିଲ୍ଲାରେ କୌଣସି ସ୍ଥାନରେ ମଧ୍ୟ ସରକାରୀ ନର୍ସରୀ ନଥିବା ବେଳେ କାମଚଳା ଢଙ୍ଗରେ ଚାଲିଛି ଏହି ବିଭାଗ। ବ୍ଲକ କାର୍ଯ୍ଯାଳୟ ପାଇଁ ଏହି ବିଭାଗରେ ୬ ରୁ ଉର୍ଦ୍ଧ୍ବ କର୍ମଚାରୀ ଆବଶ୍ୟକ ପଡୁଥିବା ବେଳେ ମାତ୍ର ୩ ଜଣ ସଂପ୍ରସାରଣ କର୍ମୀଙ୍କୁ ନେଇ କାମ ଚାଲିଛି ଏବଂ ଉକ୍ତ କର୍ମୀ ମାନଙ୍କୁ ୩ ପଞ୍ଚାୟତ ବଦଳରେ ୮ ପଞ୍ଚାୟତ ଦାୟିତ୍ବ ଦିଆଯାଇଛି ଯାହାଫଳରେ କି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି। ସ୍ଥାୟୀ କାର୍ଯାଳୟ ପାଇଁ ଅର୍ଥର ଅଭାବ ନଥିଲା ବେଳେ ଏନେଇ ପ୍ରଶାସନର ଆନ୍ତରିକତା ନାହିଁ ବୋଲି କୁହାଯାଉଛି।କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସମୟରେ କାର୍ଯାଳୟ ବନ୍ଦ ରହୁଥିବାରୁ ଲୋକେ ବାରମ୍ବାର ବିଭିନ୍ନ କାର୍ଯ୍ୟରେ ଆସି ଫେରି ଯାଉଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲାପାଳ ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି।