Odiapua.com

ନାଶିକର ଜାକିର ହୁସେନ୍ ହସ୍ପିଟାଲରେ ଅମ୍ଳଜାନ ଲିକ୍, ଭେଣ୍ଟିଲେଟରରେ ଥିବା ୨୨ ଜଣ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ନାଶିକରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଜାକିର ହୁସେନ୍ ହସ୍ପିଟାଲରେ ଅମ୍ଳଜାନ ଟାଙ୍କି ଲିକ୍ ହୋଇଛି। ଏହି ଦୁର୍ଘଟଣାରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ଘଟିବା ସମୟରେ ଡାକ୍ତରଖାନାରେ ୧୭୧ ଜଣ ରୋଗୀ ଥିଲେ। ଅମ୍ଳଜାନ ଲିକ୍ ଘଟଣା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଲିକେଜକୁ ନିୟନ୍ତ୍ରଣ କରାଯାଇଛି। ମୃତ୍ୟୁବରଣ କରିଥିବା ରୋଗୀମାନେ ଭେଣ୍ଟିଲେଟରରେ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଟ୍ୟାଙ୍କର୍ ଭରିବା ସମୟରେ ଏହି ଲିକ୍ ଘଟିଛି। ଲିକ୍ ହେତୁ ଡାକ୍ତରଖାନା ପରିସରରେ ଅମ୍ଳଜାନ ବ୍ୟାପି ଯାଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ଡାକ୍ତରଖାନାରେ ୨୫ ଜଣ ରୋଗୀ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ଅନେକ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ଏହା ବ୍ୟତୀତ ୮୦ ରୁ ଅଧିକ ରୋଗୀଙ୍କୁ ଅମ୍ଳଜାନ ଦିଆଯାଉଥିଲା। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ନାଶିକରେ ଟ୍ୟାଙ୍କର୍ ଭଲଭ୍ ଲିକ୍ ହେତୁ ଅମ୍ଳଜାନରେ ବ୍ୟାପକ ଲିକ୍ ହୋଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ଟାଙ୍କିରୁ ଅମ୍ଳଜାନ ବାହାରୁଛି ବୋଲି ସେ ରାତି ୧୨.୩୦ ରେ ଏକ କଲ ପାଇଥିଲେ। ଆମେ ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଯେ ଅମ୍ଳଜାନ ଟାଙ୍କିର ଭାଲଭ ଖୋଲା ଅଛି ଯେଉଁଠାରୁ ଅମ୍ଳଜାନ ଲିକ୍ ହେଉଛି।ଅମ୍ଳଜାନ ଟ୍ୟାଙ୍କରେ ଅମ୍ଳଜାନ ଭର୍ତ୍ତି କରାଯାଉଥିଲା। ସେ ସୂଚନା ଦେଇଛନ୍ତି ‘ଆମେ ଖୋଲା ଥିବା ଭଲଭକୁ ବନ୍ଦ କରିଛୁ, କିନ୍ତୁ ବହୁ ଅମ୍ଳଜାନ ଲିକ୍ ହୋଇଛି’।