Odiapua.com

ନାଳିଆନଦୀ କୂଳବନ୍ଧ ମରାମତି ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ମାତଗଜପୁର ପକ୍କାପୋଲ ଠାରୁ ଗୁହାଳିପାଳ ପର୍ଯ୍ୟନ୍ତ ନାଳିଆ ନଦୀରେ କୂଳବନ୍ଧ ମରାମତି ଓ ସୁଦୃଢକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ କରିବା ପାଇଁ ଆଜି ମାନବାଧିକାର କର୍ମୀ ଓ ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଭଦ୍ରକ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତାଙ୍କ ସ୍ମାରକପତ୍ର ମୂଳେ ସାଳନ୍ଦୀ-ନାଳିଆ ନଦୀ ସଂସ୍କାର ସମୟରେ ତରବରିଆ ଭାବେ କରାଯାଇଥିବା କୂଳବନ୍ଧ ବିଭିନ୍ନ ସ୍ଥାନରେ ଦୁର୍ବଳ ସ୍ଥିତିରେ ପହଞ୍ôଚଛି । ପ୍ରତିବର୍ଷ ବନ୍ୟା ସମୟରେ ଭୟରେ ନଦୀକୂଳ ବାସିନ୍ଦାଙ୍କ ଆଖିରୁ ନିଦ ହଜିଯାଉଛି । ଏଠାରେ ସୂଚନାଯୋଗ୍ୟ ଶ୍ରୀ ତ୍ରିପାଠୀଙ୍କ ଦ୍ୱାରା ଉଲ୍ଲେଖିତ ନଦୀବନ୍ଧର ଏକ ସ୍ପର୍ଶକାତର ସ୍ଥାନ ହେଉଛି ଧୋବାଗଣ୍ଡ । ଯାହା ଧୀରେ ଧୀରେ କୂଳବନ୍ଧ ନଷ୍ଟକରି ଚାଷଜମି ଆଡକୁ ମାଡି ଆସିଲାଣି । ଗତ ୨୦୨୦ ମସିହା ଜାନୁଆରୀ ମାସରେ ତତ୍‌କାଳନୀ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ କ୍ଷେତ୍ରୀୟ ପରିଦର୍ଶନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଯଦି ଜିଲା ପ୍ରଶାସନ ଜନସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଦାବିଷ୍ଣୁ ସାଜନ୍ତି, ତାହେଲେ ମାତଗଜପୁର, ନରସିଂହପୁର ଏବଂ ମହାଦେବସାହିର ଶତାଧିକ ପରିବାର ଆତଙ୍କରେ ଦିନ କାଟିବେ । ଏହି ସ୍ମାରକପତ୍ର ପ୍ରଦାନ କାଳରେ ଶ୍ରୀ ତ୍ରିପାଠୀଙ୍କ ସହ ପରମାନନ୍ଦ ପଣ୍ଡା ଉପସ୍ଥିତ ଥିଲେ । ଜିଲାପାଳ ଡ. ଜ୍ଞାନ ଦାସ ଏହି ସ୍ମାରକପତ୍ର ପାଇ ଜରୁରୀ କାଳୀନ ବିଭାଗ ମାଧ୍ୟମରେ ସାଳନ୍ଦୀ କେନାଲ ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ତେବେ ଏହି ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆଗକୁ ଜନ ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ଶ୍ରୀ ତ୍ରିପାଠୀ ଓ ଶ୍ରୀ ପଣ୍ଡା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।