ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ସଶକ୍ତ ଭାରତ, ସଶକ୍ତ ନାରୀ” ଏହି ଆହ୍ୱାନକୁ ସାମ୍ନାରେ ରଖି ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ ଜଣାଇ ଆଜି ସକାଳ ୯ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଯୋଗଦେଇ ନାରୀ ସଶକ୍ତିକରଣ ପ୍ରତି ନିଜ ସମର୍ଥନ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀମାନଙ୍କ ସାମାଜିକ, ଆର୍ôଥକ ଓ ଶିକ୍ଷାଗତ କ୍ଷେତ୍ରରେ ଅବଦାନକୁ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ଦିଲୀପ ରାଉତରାୟ ନାରୀ ସୁରକ୍ଷା ଓ ସମାନ ଅଧିକାର ସୁନିଶ୍ଚିତ କରିବା ଦିଗରେ ପ୍ରଶାସନର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟ ମହିଳା ଶିଶୁ ସୁରକ୍ଷା ସଦସ୍ୟା ମନସ୍ମିତା ଖୁଂଟିଆ, ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ଝରଣା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ପଂଚାୟତରୁ ପାର୍ଲ୍ୟାମେଂଟ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ସମଗ୍ର ଦେଶରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିବ। ମହିଳାମାନଙ୍କୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଥିଲା। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ନାରୀ ଶକ୍ତି ବନ୍ଦନ ପଦଯାତ୍ରା ବାହାରି ସହର ପରିକ୍ରମା କରି ଟାଉନ୍ ହଲ୍ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରା ମାଧ୍ୟମରେ ନାରୀଙ୍କ ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣର ବାର୍ତା ସମାଜକୁ ପ୍ରଦାନ କରାଯାଇଥିଲା।