Odiapua.com

ନାବାଳିକା କନ୍ୟାର ଅପହରଣକାରୀଙ୍କ ଗିରଫ ଦାବିନେଇ ଏସ୍‌ପିଙ୍କୁ ଭେଟିଲେ ପରିବାର

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ନାବାଳିକା କନ୍ୟାର ସୁରକ୍ଷା ଓ ଅପହରଣକାରୀମାନଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ପରିବାର ସ୍ଥାନୀୟ ଥାନା ଠାରୁ ଆରମ୍ଭ କରି ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲାପାଳଙ୍କ ସମେତ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ବାରମ୍ବାର ଆସି ନିରାଶ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଜି ଏହି ଘଟଣାକୁ ନେଇ ପୁନର୍ବାର ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିକଟକୁ ଆସିଥିବା ପିତାମାତା ଓ ପରିବାର ଲୋକଙ୍କ ଅଭିଯୋଗ ମୂଳେ ଏହି ଜିଲାର ଆଗରପଡା ଥାନା ଅଧୀନସ୍ଥ ଓଡଙ୍ଗ ଗ୍ରାମନିବାସୀ ସୁରେନ୍ଦ୍ର ମଳିକଙ୍କ ଅଷ୍ଟମ ଶ୍ରେଣୀର ପଢୁଥିବା ୧୩ ବର୍ଷିୟା ନାବାଳିକା କନ୍ୟା ରାଜଲକ୍ଷ୍ମୀ (ଛଦ୍ମନାମ)କୁ ଗତବର୍ଷ ସେପ୍ଟେମ୍ବର ୩ ତାରିଖ ଦିନ ରାତିରେ କେଉଁଆଡେ ନିଖୋଜ ହୋଇଯାଇଥିଲା । ଏହି ଘଟଣାରେ ସେମାନେ ନିଜର ଚିହ୍ନା ପରିଚିତ, ବନ୍ଧୁବାନ୍ଧବଙ୍କ ଘର ଖୋଜାଖୋଜି କରି ନପାଇବା ମଧ୍ୟରେ ଗ୍ରାମ ଲୋକଙ୍କ ନିକଟରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ପୁତ୍ର ମାନସ ତାକୁ ଅପହରଣ କରିନେଇଛି ବୋଲି । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ମାନସ ତାଙ୍କ କନ୍ୟାର ପିଛା କରୁଥିଲା ବୋଲି ସେ ଘରେ ଅଭିଯୋଗ କରିଆସୁଥିଲା । ଏହି ବିଷୟରେ ପୂର୍ଣ୍ଣଚନ୍ଦ୍ରଙ୍କୁ ସେମାନେ ଜଣାଇଥିଲେ ବି ସେ କଥାର କୌଣସି ଗୁରୁତ୍ୱ ନଦେଇ ପରୋକ୍ଷରେ ନିଜ ପୁଅକୁ ପ୍ରୋତ୍ସାହିତ କରିଥିଲେ ।

ପରେ ମାନସ (୨୬) ସେହିଦିନ ରାତିରୁ ଘରେ ନଥିବାରୁ ସେ ତାଙ୍କର କନ୍ୟାକୁ ଅପହରଣ କରିଥିବା ବିଷୟ ନିଶ୍ଚିତ ହୋଇଥିଲେ । ଏହି ଘଟଣାରେ ପୂର୍ଣ୍ଣଚନ୍ଦ୍ରଙ୍କ ସମସ୍ତ ପରିବାର ସଂପୃକ୍ତ ଥିବାରୁ ଏବଂ ତାଙ୍କ କନ୍ୟାର ଜୀବନ ପ୍ରତି ବିପଦ ରହିଥିବା ନେଇ ଆଗରପଡା ଥାନାରେ ଗତବର୍ଷ ସେପ୍ଟେମ୍ବର ୫ ତାରିଖ ଦିନ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଇତିମଧ୍ୟରେ ପୁଲିସ୍ ନିଜ ଘରୁ ଅନ୍ତର୍ଦ୍ଧାନ ହୋଇଯାଇଥିବା ମାନସର ପିତା ପୂର୍ଣ୍ଣଚନ୍ଦ୍ର ଓ ମା’ ତିଳୋତ୍ତମାକୁ ତାଙ୍କ ଭିଣୋଇ ଘର କେନ୍ଦୁଝର ଜିଲାର ନନ୍ଦିପଦା ଗ୍ରାମରୁ ଗିରଫ କରିଥିଲା । ସେମାନେ ସେତେବେଳେ ତାଙ୍କ ପୁଅ ଓ ଝିଅକୁ ଆଣିଦେବେ ବୋଲି ଥାନାରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାନୀୟ ଥାନା କୌଣସି ପଦକ୍ଷେପ ନେଇନଥିଲା । ସେମାନେ ସାଧାରଣ ଗରିବ ତଥା ନିରକ୍ଷର ବ୍ୟକ୍ତି ହୋଇଥିବାରୁ ଥାନାବାବୁଙ୍କ କହିବା ମୂଳେ ଅଭିଯୋଗ ପତ୍ର ଅନୁଯାୟୀ ସେ ଅଭିଯୁକ୍ତମାନଙ୍କ ପ୍ରତି ଉପଯୁକ୍ତ ଦଫା ନଲଗାଇ କେବଳ ଏକ ନିଖୋଜ ମାମଲା ରୁଜୁ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ମାନସ ତାଙ୍କର କନ୍ୟା ପ୍ରତି ଦୁଷ୍କର୍ମ କରି ହତ୍ୟା କରିଥିବା ବିଷୟ ସେମାନେ ଅଭିଯୋଗ କରିଛନ୍ତି । ମାନସ ଏହିଭଳି ପୂର୍ବରୁ ଅନ୍ୟ ଝିଅ ଅପହରଣ ଘଟଣାରେ ଜଡିତ ଥିବାରୁ ଜିଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଏହି ଘଟଣାର ତଦନ୍ତ କରି ତାଙ୍କ କନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର ପୂର୍ବକ ଅଭିଯୁକ୍ତମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ଏହି ଘଟଣାରେ ପୁଲିସ୍ ଅପହରଣକାରୀ ମାନସର ମୋବାଇଲ୍ ଟ୍ରାକିଂ କରି ବିଭିନ୍ନ ସ୍ଥାନ ଉପରେ ଚଢାଉ କରିଥିଲେ ମଧ୍ୟ ସେ ବାରମ୍ବାର ସିମ୍ ବଦଳାଉଥିବାରୁ ତାର ସନ୍ଧାନ ମିଳିପାରୁନାହିଁ ବୋଲି ପୁଲିସ୍ କହିଛି ।