ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଥାନାରୁ ନ୍ୟାୟ ନମିଳିବାରୁ ଶେଷରେ ପିତା ନାବାଳିକା କନ୍ୟା ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲପୁର ଛକ ନିକଟରେ ବିଷ ପିଇ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ବାଲେଶ୍ୱର ସୋରୋ ଥାନା ଅଧୀନସ୍ଥ ମହୁମୁହାଣ ଗ୍ରାମର ସଂଜୟ ନାୟକ ସୋରୋ ଥାନାରେ କରିଥିବା ଅଭିଯୋଗ ପତ୍ର ମୂଳେ ଗତ ୧୯ ତାରିଖରେ ମଙ୍ଗଳପୁରସ୍ଥିତ ଶ୍ରୀନିବାସ କଲେଜରେ ପଢୁଥିବା ଯୁକ୍ତ ଦୁଇ ବାଣିଜ୍ୟ ପ୍ରଥମ ବର୍ଷରେ ପଢୁଥିବା ସଂଜୟଙ୍କ ନାବାଳିକା କନ୍ୟା ପରୀକ୍ଷା ସାରି ୧୧.୩୦ ରେ ସାଇକେଲ୍ ଯୋଗେ କଲେଜରୁ ଫେରୁଥିବାବେଳେ ମଙ୍ଗଳପୁରସ୍ଥିତ ଅରବିନ୍ଦ ସ୍କୁଲ ଓ ଟିଣା ପୋଲ ନିକଟରେ ଏକ ଧଳା ରଙ୍ଗର ଓଡ଼ି-୦୧ଏକେ-୦୮୫୯ ନମ୍ବର (ଯାହାର ମାଲିକ ବାଗୁଡି ନବୋଦୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ କୈଳାସ ଗୋଚ୍ଛାୟତ) ଙ୍କ କାର୍ରେ ତାଙ୍କର ପୁତ୍ର ଶିବପ୍ରସାଦ ଆସି ଆଡ୍ଡା ପକାଇ ଅଟକାଇଥିଲେ। ଏଥିପୂର୍ବରୁ ଯୋଜନାବଦ୍ଧ ଭାବେ ଅନ୍ୟ ଏକ ଧଳା ରଂଗର ଓଡ଼ି-୦୧ଏଏଲ୍-୬୯୩୬ ନମ୍ବରର ଜାଭା ମୋଟର ସାଇକେଲ୍ରେ ବାଗୁଡି ନିବାସୀ ସତ୍ୟବ୍ରତ ଶଙ୍ଖୁଆ, ୰ ରଜନୀ ଦାସଙ୍କ ପୁତ୍ର ରବିନ୍ଦ୍ର ତାଙ୍କୁ ପିଛା କରି ଅସଦାଚରଣ କରିଥିଲେ। ଏ ସଂପର୍କରେ ପିତା ସଂଜୟ ସୋରୋ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେଣୁ ଆଜି ଉଭୟ ପିତା-ପୁତ୍ରୀ ଯାଉଥିବାବେଳେ ସଂପୃକ୍ତ ଯୁବକମାନେ ତାଙ୍କୁ ଅଟକାଇ ବିଭିନ୍ନ ଧମକ ଚମକ ଦେଇଥିଲେ। ଫଳରେ ସେମାନେ ଏକ ବାଇକ୍ ଯୋଗେ ଭଦ୍ରକ ଆସି ଗେଲପୁର ଛକରେ ବିଷ ପିଇଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମୂମୁର୍ଷ ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।