ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ଅଚକ ପଂଚାୟତ କାର୍ଯ୍ୟାଳୟ ନିକଟରେ ରହୁଥିବା ଜଣେ ନାବାଳିକାଙ୍କୁ ଘରେ ତା ବାପା ମା ନଥିବା ଅବସ୍ଥାରେ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ନାବାଳିକାଙ୍କ ବାପା ଘଟଣାଦିନ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୮୨/୨୬ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ରବିବାର ପୋଲିସ ତିହିଡି଼ ଥାନା ସୟା ପଂଚାୟତ ଅଧୀନ ବାଲିଚତୁରୀ ଗ୍ରାମର ମନୋରଞ୍ଜନ ମଳିକ(୨୨) ଏବଂ ବିହାର ରାଜ୍ୟର ଛାପ୍ରାବିହାର ଅଂଚଳର ଚନ୍ଦନ କୁମାର ରାୟ (୨୧)ଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଅଭିଯୋଗରୁ ଜଣାଯାଇଛି ଯେ ଜଣେ ଘୁଷୁରିଆ କେଳା, ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ନନ୍ଦପୁର ବଜାର ନିକଟସ୍ଥ ଅଚକ ପଂଚାୟତ କାର୍ଯ୍ୟାଳୟ ପାଖରେ ପଲିଥିନ ଟାଣି ରହୁଥିଲେ । ଶୁକ୍ରବାର ସେହି କେଳା ଜଣକ ଏବଂ ତାଙ୍କ ସ୍ତ୍ରୀ ଘୁଷୁରୀ ଚରାଇବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ମନୋରଞ୍ଜନ ଓ ଚନ୍ଦନ ସେଠାକୁ ଯାଇ ନାବାଳିକାଙ୍କୁ ଏକୁଟିଆ ଅବସ୍ଥାରେ ପାଇ ବଳାତ୍କାର କରିଥିବାବେଳେ ନାବାଳିକାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ସ୍ଥାନୀୟ ଅଂଚଳର ଜଣେ ବୃଦ୍ଧ ଘଟଣାସ୍ଥଳରେ ପହଂଚିବାରୁ ଯୁବକ ୨ଜଣ ସେଠାରୁ ଫେରାର ହୋଇଯାଇଥିଲେ । ନାବାଳିକାଙ୍କ ମା ଓ ବାପା ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେମାନେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାଧବୀଲତା ଭୋଇଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ମାଧବୀଙ୍କ ପୁଅ ସୂର୍ଯ୍ୟନାରାୟଣ ଭୋଇ ଟେଲିଫୋନ ଯୋଗେ ଏସପି ମନୋଜ ରାଉତ ଓ ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ।ପରେ ଆଇଆଇସି ନାୟକ ଘଟଣାର ତଦନ୍ତ ଚଳାଇଥିଲେ । ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।