Odiapua.com

ନାବାଳିକାକୁ ଭୟଙ୍କର ଭାବେ ହତ୍ୟା କଲା ପ୍ରେମିକ, ଲୋମ ଟାଙ୍କୁରା ସିସିଟିଭି ଫୁଟେଜ୍‌, ଦେଖୁଥିଲେ ଲୋକେ, କେହି ଆସିଲେନି ସହାୟତା ପାଇଁ

ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) : ପୁଣି ଏକ ଭୟଙ୍କର ହତ୍ୟା। ଏଭଳି ଏକ ଲୋମଟାଙ୍କୁରା ହେଲା ଭଳି ସିସିଟିଭି ଫୁଟେଜ୍‌ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭୟଙ୍କର ଘଟଣା ରବିବାର ସନ୍ଧ୍ୟାରେ ଉତ୍ତର ପଶ୍ଚିମ ଦିଲ୍ଲୀର ଶାହାବାଦ ଡେଇରୀ ଅଞ୍ଚଳରେ ଘଟିଛି। ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କଲେ ଦେଖାଯାଉଛିଯେ, ଜଣେ ନାବାଳିକାକୁ ଅତି ନିର୍ମମ ଭାବେ ଛୁରୀରେ ବାରମ୍ୱାର ଏକ ଯୁବକ ଆଘାତ ପହଁଚାଉଛି। ଶେଷରେ ଏକ ବଡ଼ ପଥରେରେ ବାଳିକାକୁ ଛେଚି ଛେଚି ହତ୍ୟା କରିଦେଉଛି। ଖବର ଅନୁଯାୟୀ, ୧୬ ବର୍ଷୀୟା ଏକ ନାବାଳିକା ନିଜ ବାନ୍ଧବୀଙ୍କ ପୁଅର ଜନ୍ମଦିନରେ ଯୋଗଦେବାକୁ ଯାଇଥିଲେ। ମୃତ ବାଳିକା ଜଣକ ତାଙ୍କ ବନ୍ଧୁଙ୍କ ଘର ବାହାରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ତାଙ୍କ ପାଖକୁ ଯାଇ କଥାବାର୍ତ୍ତା ହୋଇଥିଲା। ଯୁବକ ଅତ୍ୟନ୍ତ କ୍ରୋଧିତ ହୋଇଥିବା ପରି ମନେ ହେଉଥିଲା ଏବଂ ବିଳମ୍ୱ ନକରି ସେ ଛୁରୀରେ ନାବାଳିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା। ସେ ବାରମ୍ବାର ନାବାଳିକାକୁ ଛୁରାମାଡ଼ କରୁଥିବା ବେଳେ କିଛି ଲୋକ ମଧ୍ୟ ଏହାକୁ ଦେଖି ଚାଲିଯାଉଥିବାର ଭିଡ଼ିଓରେ ଦେଖାଯାଉଛି। ଏପରିକି କେହି ଏହି ବାଳିକାକୁ ବଞ୍ଚାଇବାକୁ ଆଗକପ ଆସିନଥିବାର ଲକ୍ଷ କରାଯାଉଛି। ଏହି ଆକ୍ରମଣ ଅତ୍ୟନ୍ତ ଦୁଃଖଦ ଏବଂ ନିର୍ଦ୍ଦୟ ଥିଲା। ଏହି ସିସଟିଭି ଫୁଟେଜରେ ଦେଖାଯାଉଛିଯେ, ଯୁବକ ଜଣକ ଛୁରା ବାରମ୍ୱାର ମାରିବା ପରେ ବଡ଼ ପଥରରେ ଛେଚି ଛେଚି ବାଳିକାକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ଆକ୍ରମଣ କରିଚାଲିଥିଲା।

କିଛି ସମୟ ପରେ ପୋଲିସ୍ ଅଧିକାରୀମାନଙ୍କୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ଏହା ପରେ ଦିଲ୍ଲୀ ପୋଲିସ କର୍ମଚାରୀମାନେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ପୀଡିତାଙ୍କୁ ନିକଟସ୍ଥ ହସ୍ପିଟଲକୁ ନିଆଯାଇଥିଲା କିନ୍ତୁ ଦୁଃଖର ବିଷୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମୋର୍ଟମ ଶେଷ ହେବା ପରେ ପୋଲିସ ଯୁବତୀଙ୍କ ଶବକୁ ତାଙ୍କ ସମ୍ପର୍କୀୟଙ୍କୁ ଦେଇଥିଲେ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ବର୍ତ୍ତମାନ ଫେରାର ଥିବା ବେଳେ ପୋଲିସ୍ ବିଭିନ୍ନ ଟିମ ଗଠନ କରି ଯୁବକକୁ ଧରିବାକୁ ଚେଷ୍ଟା ଚଳାଇଛି। ଅଭିଯୁକ୍ତ ଯୁବକର ନାମ ସାହିଲ ବୋଲି କୁହାଯାଉଛି।