Odiapua.com

ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ୟା ଅଭିଯୋଗ, ତେଲେଙ୍ଗାନାରୁ ଅଭିଯୁକ୍ତକୁ ଗିରଫ କଲା ଧୂଷୁରୀ ପୁଲିସ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମର ଜଣେ ୧୬ ବର୍ଷିୟା ନାବାଳିକାକୁ ଅପହରଣ କରି ଦୁଷ୍ମର୍ମ ପରେ ହତ୍ୟା ଅଭିଯୋଗରେ ଆଜି ଧୂଷୁରୀ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିବାରେ ସକ୍ଷମ ହୋଇଛି । ପୁଲିସ ଠାରୁ ସୂଚନା ଅନୁଯାୟୀ ଧୂଷୁରୀ ଥାନା ରଇପୁର ଗ୍ରାମର ଜଣେ ୧୬ ବର୍ଷିୟା ନାବାଳିକାକୁ ସେହି ଗ୍ରାମର ଯୋଗେନ୍ଦ୍ର ବେହୁରିଆଙ୍କ ପୁଅ ଧର୍ମାଜିତ ବେହୁରିଆ (୧୯) ଗତ ୨୦୨୦ ମସିହା ନଭେମ୍ବର ମାସ ୧୪ ତାରିଖ ଅପହରଣ କରିଥିବା ଥାନାରେ ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ । ସେତେ ବେଳେ ଧୂଷୁରୀ ପୁଲିସ ଥାନାରେ କେଶ ନଂ-୨୨୫/୨୦ରେ ଏକ ଅପହରଣ ମାମଲା ରୁଜୁ କରିଥିଲା । ହେଲେ ସଂପୃକ୍ତ ଅଭିଯୁକ୍ତ କିମ୍ବା ଅପହୃତା ନାବାଳିକାକୁ ପୁଲିସ ଧରିବାରେ ସକ୍ଷମ ହୋଇନଥିଲା । ହେଲେ ଚଳିତ ମାସ ୧୨ ତାରିଖ ତେଲେଙ୍ଗାନା ରାଜ୍ୟ ସାଙ୍ଗାଗାଡି ଜିଲା ଅମିନପୁର ପୁଲିସ ପକ୍ଷରୁ ଧୂଷୁରୀ ଥାନାକୁ ଫୋନ କଲ ଆସିଥିଲା । ଏଠାରେ ଜଣେ ନାବାଳିକାକୁ ହତ୍ୟା କରାଯାଇଥିବା ସଂପର୍କରେ ଧୂଷୁରୀ ପୁଲିସ ଖବରପାଇ ଥାନାଧିକାରୀ ପ୍ରଫୁଲ୍ଲ ସିଂଙ୍କ ନିର୍ଦ୍ଦେଶରେ ଏଏସଆଇ ଧ୍ରୁତରାଷ୍ଟ ମଳିକ ଓ ପ୍ରଦ୍ୟୁମ୍ନ ମହାପାତ୍ର ତେଲେଙ୍ଗାନାରେ ପହଂଚି ଥିଲେ । ସେଠାରେ ଉକ୍ତ ନାବାଳିକାକୁ ଅଭିଯୁକ୍ତ ଧର୍ମାଜିତ ଦୁଷ୍ମର୍ମ ପରେ ହତ୍ୟା କରିଥିବା ପୁଲିସ ତାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଧୂଷୁରୀ ପୁଲିସ ଅଭିଯୁକ୍ତ ଧର୍ମାଜିତକୁ ତେଲେଙ୍ଗାନାରୁ ଆଣି ଆଜି କୋର୍ଟ ଚାଲାଣ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନାଧିକାରୀ ପ୍ରଫୁଲ୍ଲ ସିଂ ସୂଚନା ଦେଇଛନ୍ତି ।