Odiapua.com

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ହାଟଡ଼ିହି, ୨୧। ୮ (ଓଡ଼ିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ ଜଣେ ନାଁ ବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନନ୍ଦିପଦା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବରରୁ ଜଣାଯାଇଛି ଯେ, ବଡରମ୍ପାସ ଗ୍ରାମର ଦଶମ ପଡୁଥିବା ଜଣେ ୧୬ ବର୍ଷ ବୟସର ଛାତ୍ରୀ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଅନେକ ଆଡେ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ନପାଇବାରୁ ୧୭/୨/୨୦୨୨ରେ ଛାତ୍ରୀର ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପରେ ସେହିଗ୍ରାମର ଜୀବନ ଖୁଣ୍ଟିଆ ନାମକ ଜଣେ ଯୁବକ ଏହି ନାଁ ବାଳିକାକୁ ଗତ ଅପହରଣ କରିନେଇ ବାଙ୍ଗାଲୋର ପଳାଇଥିବା ଜଣାପଡ଼ିଥିଲା। ସେ ତାକୁ ବାଙ୍ଗାଲୋରରେ ରଖିବା ସହ ବିବାହ କରିବାର ପ୍ରତିଶୃତି ଦେଇ ତା’ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଗତ ୧୫ଦିନତଳେ ଜୀବନ ତାକୁ ବାଙ୍ଗାଲୋରରେ ଛାଡି ଦେଇ ଘରକୁ ପଳାଇ ଆସିଥିଲା। ଫଳରେ ନାଁ ବାଳିକାଟି ଅନ୍ୟ ଲୋକଙ୍କ ସହଯୋଗରେ ଆସି ହାଟଡିହିର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା। ପରେ ପରିବାର ଲୋକେ ଜାଣିବାପରେ ନାଁ ବାଳିକାକୁ ଆଣି ଘଟଣା ସମ୍ପର୍କରେ ପଚାରିବା ପରେ ସେ ସମସ୍ତ ବିଷୟ କହିଥିଲା। ଏନେଇ ପରିବାର ଲୋକେ ନନ୍ଦିପଦା ଥାନାକୁ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଥାନା କେସନଂ ୩୧/୨୦୨୨ ଅନୁସାରେ ଉକ୍ତ ଯୁବକକୁ ଧରିବାଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ସେ ଘରକୁ ଆସିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ନନ୍ଦିପଦା ପୁଲିସ ଚଢ଼ାଉ କରି ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।