Odiapua.com

ନାବଳକ ହାତରେ ହେଉଛି ଦେଶୀ ମଦ ଚାଲାଣ!

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚୋରା ଦେଶୀ ମଦରେ ଉବୁଟୁବୁ ହେଉଛି ଇସ୍ପାତନଗର ରାଉରକେଲା। ଯଦିଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା ଦେଶୀ ମଦବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି, ମାତ୍ର ଆଇନର ଗଳାବାଟରେ ଜେଲରୁ ମୁକୁଳି ପୁଣିଥରେ ଚୋରା ଦେଶୀମଦ କାରବାରରେ ଲିପ୍ତ ରହୁଛନ୍ତି ଏଭଳି ବ୍ୟକ୍ତିମାନେ। ରାଉରକେଲାର ପ୍ରାୟ ୫୦ରୁ ଉର୍ଦ୍ଧ ବସ୍ତିରେ ବେଧଡ଼କ ଚାଲିଛି ଚୋରା ଦେଶୀମଦ କାରବାର। ଅବକାରୀ ବିଭାଗ ପକ୍ଷରୁ କୁଚିଆ ମଦବେପାରୀ, ହାଣ୍ଡିଆ ବିକ୍ରୀ କରୁଥିବା ମହିଳାଙ୍କୁ ଧରି ବାହା ବା ନିଆଯାଉଥିବା ବେଳେ, ସହରର ଗଳିକନ୍ଦିରେ ବହୁଛି ଦେଶୀ ମଦର ବନ୍ୟା! ଏକ ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଦେଶୀମଦ କାରବାର କରୁଥିବା ମାଫିଆ ମାନେ ନିଜ ମଦ କାରବାରକୁ ସୁରୁଖୁରେ ଚଳାଇବା ପାଇଁ ୧୩ରୁ ୧୬ ବର୍ଷ ବୟସର ନାବାଳକ ମାନଙ୍କୁ ଦେଶୀ ମଦ ଚାଲାଣରେ ନିୟୋଜିତ କରୁଛନ୍ତି! ଏହି ନାବାଳକ ମାନଙ୍କ କିଂଚିତ ଅର୍ଥରେ ପ୍ରଲୋଭନ କରି ବ୍ୟାଗରେ ଦେଶୀ ମଦ ବୋତଲ ଭର୍ତି କରି ଦିଆଯାଉଛି। ଏଭଳି କାରବାର ସହରର ପ୍ଲାଂଟ ସାଇଟ ଥାନା ଅନ୍ତର୍ଗତ ଉର୍ତମ ବସ୍ତି, ଗିରିଧାରୀ ବସ୍ତି, ଗୋପବନ୍ଧୁପାଲୀ, ଉଦିତନଗର ଥାନା ଅନ୍ତର୍ଗତ ହରିପୁର ବସ୍ତି, ଶୀତଳପଡ଼ା ଓ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କିଛି ବସ୍ତିରେ ନିୟମିତ ଦେଖିବାକୁ ମିଳୁଛି। ଦେଶୀମଦକୁ ସ୍କୁଲ ବ୍ୟାଗ, ପରିବା ବ୍ୟାଗରେ ଭର୍ତି କରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସୁରକ୍ଷିତ ଭାବେ ନେଇଯାଉଛନ୍ତି ଏଭଳି ନାବାଳକ ମାନେ। ଯାହାର ଟିକେ ସୁଦ୍ଧା ପାଇପାରୁନି ଅବକାରୀ ବିଭାଗ ଅବା ଖାକିଧାରୀ ପୁଲିସ କର୍ମୀ। ଜଣେ ନାବାଳକ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି ଯେ, ୧ ଲିଟର ଦେଶୀ ମଦ ଚାଲାଣ କଲେ ବୋତଲ ପିଛା ତାଙ୍କୁ କୁଆଡ଼େ ୨୦ ଟଙ୍କା ମିଳୁଛି। ଦେଶୀ ମଦ ଚାଲାଣ କାର୍ଯ୍ୟ ମଧ୍ୟାହ୍ନ ୧ଟାରୁ ୩ଟା ମଧ୍ୟରେ ସେ କରିଥାନ୍ତି ବୋଲି ପ୍ରକାଶ କରିଥିଲେ। ଅପରପକ୍ଷରେ, ଏଭଳି ଦେଶୀ ମଦ ଚାଲାଣ କରୁଥିବା ନାବାଳକ ମାନେ ପରବର୍ତ୍ତୀ ଅବସ୍ଥାରେ ନିଜେ ନିଶାଗ୍ରସ୍ତ ହୋଇ ପଡୁଥିବା ସଷ୍ଟ ଭାବେ ଦେଖିବାକୁ ମିଳୁଛି। ଉପଯୁକ୍ତ ଜନସଚେନତା ଅଭାବ ତଥା ପରିବାରର ଅବହେଳା ଯୋଗୁ ବସ୍ତି ଅଂଚଳରେ ବସବାସ କରୁଥିବା ଏହି ନାବାଳକଙ୍କ ସୁନେଲି ଭବିଷ୍ୟତ ଅନ୍ଧାରୀ ଗୁମ୍ପା ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଯଦି କୌଣସି ନାବାଳକ ଦେଶୀ ମଦ ଚାଲାଣ କରିବାକୁ ଅମଙ୍ଗ ହେଉଛି, ତେବେ ତାକୁ ବିଭିନ୍ନ ପ୍ରକାର ଧମକଚମକ ଦିଆଯାଉଛି ବୋଲି ଶୀତଳପଡ଼ା ଅଂଚଳରେ ଦୀର୍ଘଦୀନ ଧରି ବସବାସ କରୁଥିବା ଜଣେ ବରିଷ୍ଠ ନାଗରିକ ପ୍ରକାଶ କରିଛି। ଏବେ ପ୍ରଶ୍ନ ଉଠୁଛି ଚୋରାଦେଶୀ ମଦ ସହ ଏହି ନାବାଳକଙ୍କ ଭବିଷ୍ୟତକୁ ରାଉରକେଲା ପୁଲିସ ପ୍ରଶାସନ କେତେ ମାତ୍ରାରେ ସୁରକ୍ଷାର କବଚ ଦେଇପାରିବ ତାହାର ଚର୍ଚ୍ଚା ଏବେ ଏଠି, ସେଠି, ସବୁଠି।