Odiapua.com

ନାଟ୍ୟକାର ୰ ରଣଜିତ୍ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ନାଟ୍ୟସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ୨୨ା୮ (ଓଡ଼ିଆ ପୁଅ) : ଗତ ସନ୍ଧ୍ୟାରେ ଓଡ଼ିଶା ନାଟ୍ୟସଂଘ ତରଫରୁ ଦିବଂଗତ ମହାନ୍ ନାଟ୍ୟକାର ଓ ନିର୍ଦ୍ଦେଶକ ସ୍ୱର୍ଗତ ରଣଜିତ୍ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ସାମ୍ବାଦିକ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟସଂଘର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନାଟ୍ୟସଂଘର ସଭାପତି ଶ୍ରୀ ହରେନ୍ ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସଭାକାର୍ଯ୍ୟ ପରିଚାଳନା କରିଥିଲେ ସମ୍ପାଦକ ଶ୍ରୀ ଶୁଭକାନ୍ତ ପାଢୀ। ଏହି ଶୋକ ସଭାରେ ଯୋଗଦାନ କରିଥିବା ବରିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱମାନେ ହେଲେ ସର୍ବଶ୍ରୀ ଧିରେନ୍ଦ୍ରନାଥ ମଲ୍ଲିକ, କୈଳାସ ପାଣିଗ୍ରାହୀ, ଲାଲା ବୀରେନ୍ ପ୍ରସାଦ ରାୟ, ସୁବୋଧ ପଟ୍ଟନାୟକ, ଶିବଶଙ୍କର ତ୍ରିପାଠୀ, ସତ୍ୟ ଜେନା, ମୁକନ୍ଦ ଶତପଥୀ, ସତ୍ୟ ମିଶ୍ର, ପ୍ରଦୀପ ବିଶ୍ୱାଳ, ଅବିନାଶ ଦଣ୍ଡପାଟ, ପ୍ରଶାନ୍ତ ମହାପାତ୍ର, ଶତ୍ରୁଘ୍ନ ସାମଲ, ଜାମିନୀକାନ୍ତ ମିଶ୍ର ଓ ରଂଜନ କୁମାର ନାୟକ। ବରିଷ୍ଠ ନାଟ୍ୟବ୍ୟକ୍ତିତ୍ୱମାନେ ସ୍ୱର୍ଗତ ରଣଜିତ୍ ପଟ୍ଟନାୟକଙ୍କର ସଫଳତମ ନାଟ୍ୟକାର ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କ ବିୟୋଗରେ ଓଡ଼ିଶା ନାଟ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ମତ ଦେଇଥିଲେ।