Odiapua.com

ନାଗାର୍ଜ୍ଜୁନ ବେଶ ପାଇଁ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ – ଦୁର୍ଲଭ ନାଗାର୍ଜ୍ଜୁନ ବେଶକୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତା ୨୭ ତାରିଖରେ ହେବାକୁ ଥିବା ନାଗାର୍ଜ୍ଜୁନ ବେଶ ପାଇଁ ଆଜି ଛତିଶା ନିଯୋଗ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ନାଗାର୍ଜ୍ଜୁନ ବେଶ ଏକ ଶୋଭାଯାତ୍ରାରେ ରାତି ୨ଟାରୁ ଚକ୍ରକୋଟ ଜାଗାରୁ ଶ୍ରୀମନ୍ଦିରକୁ ଅଣାଯିବ। ଭୋର ପ୍ରାୟ ୪ଟାରେ ସିଂହାରୀ ସେବାୟତମାନେ ଏହି ବେଶକୁ ମହାପ୍ରଭୁଙ୍କୁ ଲାଗି କରିବେ। ପ୍ରାୟ ୩ଘଣ୍ଟା ବେଶ ଲାଗି ପରେ ଅପରାହ୍ନ ୨ଟାରେ ଭୋଗ ମଣ୍ଡପ ଶେଷ ସହ ବେଶକୁ ଓଲାଗି କରାଯିବ। ତେବେ ଚଳିତ ବର୍ଷ କୋଭିଡ଼୍ କଟକଣା ଯୋଗୁଁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶକୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। ଏପରିକି, ପରମ୍ପରା ନଥିବାରୁ ପତିତପାବନଙ୍କର ବେଶ ହେବ ନାହିଁ। ଅନ୍ୟ ପକ୍ଷରେ, ଲାଗି ବେଶକୁ ନେଇ ବିବାଦ ଥିବାରୁ ଚଳିତ ବର୍ଷ ଏହାକୁ ସଂଗ୍ରାହଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ବାବଦରେ ସଂପୃକ୍ତ ସେବାୟତମାନଙ୍କୁ କ୍ଷତି ପୂରଣ ରାଶି ମଧ୍ୟ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ୨୫ ବର୍ଷ ପରେ ବେଶ ହେଉଥିବାରୁ ସମସ୍ତ ସେବାୟତଙ୍କ ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କର ବେଶ ଭାଇରାଲ ହେବା ସମ୍ଭାବନା ଥିବାରୁ ଶ୍ରୀମନ୍ଦିରରେ ମୋବାଇଲ ଫୋନ ସଂମ୍ପୂର୍ଣ୍ଣ ବାରଣ କରାଯିବାକୁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଆଜିର ଏହି ବୈଠକରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ବଲବନ୍ତ ସିଂ, ପରିଚାଳନା କମିଟିର ସଦସ୍ୟ ଓ ଛତିଶା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ।