Odiapua.com

ନାଗରିକତା ସଂଶୋଧନ ବିଲକୁ ବାସ୍ତବରେ ପରିଣତ କରାଯିବା ଐତିହାସିକ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ଡିସେମ୍ବର ୧୧-୧୨ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ନେତୃତ୍ତ୍ୱ ଫଳରେ ପୁଣି ଏକ ଐତିହାସିକ ଭୁଲକୁ ଠିକ୍ କରାଯାଇଛି ଏବଂ ନାଗରିକତା ସଂଶୋଧନ ବିଲ୍ ୨୦୧୯କୁ ଏକ ବାସ୍ତବିକତାରେ ପରିଣତ କରାଯିବା ଐତିହାସିକ ପଦକ୍ଷେପ। ଏହା ଦ୍ବାରା ନିର୍ଯ୍ୟାତନାର ଶୀକାର ହେଉଥିବା ଧାର୍ମିକ ସଂଖ୍ୟାଲଘୁ ମାନଙ୍କ ପାଇଁ ଭାରତର ମାର୍ଗ ପ୍ରଶସ୍ତ ହୋଇଛି ବୋଲି ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ଗୃହୀତ ହେବା ପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲକୁ ଗୃହୀତ ହୋଇଥିବାରୁ ଦେଶର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ। ରାଜ୍ୟସଭା ଓ ଲୋକସଭାରେ ଏହି ବିଲ୍ ପାରିତ ହେବା ଭାରତର ଦୀର୍ଘ ପରମ୍ପରା ଏବଂ ଏକ ମଜବୁତ୍ ଗଣତନ୍ତ୍ରକୁ ଦର୍ଶାଉଛି।

ଲୋକସଭା ଓ ରାଜ୍ୟସଭା ଉଭୟ ଗୃହରେ ହୋଇଥିବା ବିତର୍କ ରାଜନୈତିକ ଦଳ ମାନଙ୍କର କପଟତାକୁ ଦର୍ଶାଉଛି। ଯେଉଁମାନଙ୍କର ଆନୁଗତ୍ୟ ଦେଶ ପାଇଁ ନୁହେଁ ବର ବଂଶ ପାଇଁ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶ ଭିତରେ ଓ ବାହାରେ ଥିବା ସଂଖ୍ୟାଲଘୁଙ୍କ ପାଇଁ କାମ କରୁଛନ୍ତି ଏହା ପ୍ରମାଣିତ।

ପୁଣି ଥରେ ଉଭୟ ଗୃହରେ ଏହି ସିଏବି ବିଲକୁ ସମର୍ଥନ ଦେଇଥିବା ସମସ୍ତ ସାଂସଦମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଉଭୟ ଗୃହରେ ସାଂସଦମାନଙ୍କ ଦ୍ଵାରା ଉଠାଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ବିସ୍ତୃତ ଏବଂ ଯୁକ୍ତିସଙ୍ଗତ ସହ ଦେଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା କରୁଛି। ଏହାବ୍ୟତିତ ବିଲ୍ ସମ୍ପର୍କରେ ଯେଉଁ ଭ୍ରାନ୍ତ ଧାରଣା ଅପପ୍ରଚାର କରାଯାଉଥିଲା ତାହାର ମଧ୍ୟ ଅନ୍ତ ଘଟିଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।