Odiapua.com

ନାଉଗାଁରେ ଦୁଇ କରୋନା ରୋଗୀ ଚିହ୍ନଟ ଏଣିକି ସ୍ବାବ୍ ଟେଷ୍ଟ ନଆସିବା ପର୍ଯ୍ୟନ୍ତ ପ୍ରବାସୀଙ୍କୁ ଟିଏମସିରୁ ନ ଛାଡିବାକୁ ଜଗତସିଂପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଜଗତସିଂପୁର-୨୮-୫ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ତିର୍ତୋଲ ଅଞ୍ଚଳରେ ଗତକାଲି ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ନାଉଗାଁ ରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା। ଏମାନଙ୍କୁ କ୍ବାରଣ୍ଟାଇନରେ ରଖାଯାଇଥିଲା। ସ୍ବାବ୍ ଟେଷ୍ଟ ରୁ ପଜିଟିଭ ଥିବା ରିପୋର୍ଟ ଆସିବା ପରେ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କିମସ୍ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ପ୍ରକାଶ ଥାଉକି, ସ୍ବାବ୍ ଟେଷ୍ଟ ରିପୋର୍ଟ ନଆସିବା ପୂର୍ବରୁ ତିର୍ତୋଲ ଅଞ୍ଚଳର ୬ ଜଣ କରୋନା ରୋଗୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା। ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହ ସେମାନେ ମିଳାମିଶା କରିଥିବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ଛ ଜଣଙ୍କ ଘରକୁ ସିଲ୍ କରିବା ସହିତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ସ୍ବବ୍ ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଟିଏମସିରୁ ପ୍ରବାସୀଙ୍କୁ ଛାଡିବା ଲାଗି ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜଗତସିଂପୁର ଜିଲ୍ଲାରେ ମୋଟ ୪୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୫ ଜଣ ସୁସ୍ଥ ଏବଂ ୪୪ ଜଣ ଏବେ ସକ୍ରିୟ ଅଛନ୍ତି।