Odiapua.com

ନାଆମୀ ସୋସାଇଟିର ଗଛକଟା ବିରୋଧରେ ଜଙ୍ଗଲ ଅଧିକାରୀଙ୍କ ନିକଟରେ ସରପଞ୍ଚଙ୍କ ଅଭିଯୋଗ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ସେବା ସମବାୟ ସମିତିର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳଙ୍କ ବିରୋଧରେ ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ ନିକଟରେ ସରପଞ୍ଚ ଅଭିଯୋଗ କରିଥିବା ଜଣାଯାଇଛି। ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତ ପରିସରରୁ ସଭାପତି ଶ୍ରୀ ବିଶ୍ୱାଳ ଏକ ବିଶାଳକାୟ ଫଳନ୍ତି ଆମ୍ବଗଛ କାଟିବା ସହ ମୂଳକୁ ଜେସିବି ସହାୟତାରେ ଉତ୍ପାଟନ ଦେଇଥିବା ନେଇ ସରପଞ୍ଚ ସସ୍ମିତା ସେଠୀ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପଞ୍ଚାୟତ ବୃକ୍ଷରୋପଣ କରୁଥିବା ବେଳେ ଖୋଦ ପଞ୍ଚାୟତ ପରିସରରୁ ଗଛ କଟାଯିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସରପଞ୍ଚ ଅଭିଯୋଗରେ ଉଲ୍ଲେଖ କରିବା ସହ ମଞ୍ଜୁରୀରୋଡ ଫାଣ୍ଡି ପୁଲିସର ଉଦାସୀନତାକୁ ପ୍ରଶ୍ନ କରିଛନ୍ତି ସରପଞ୍ଚ ଶ୍ରୀମତୀ ସେଠୀ। ଏଠଶରେ ପ୍ରକାଶ ଯୋଗ୍ୟ ଯେ ନାଆମୀ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ କାର୍ଯ୍ୟାଳୟ ପରିଚାଳିତ ହେଉଥିବା ନାଆମୀ ପ୍ରାଥମିକ କୃଷି ସମବାୟ ସମିତିର ନୂତନ ଗୃହନିର୍ମାଣକୁ ସରପଞ୍ଚ ବିରୋଧ କରିଛନ୍ତି। ସାତଶୋଳା ମୌଜାର୧୪୯୫, ୧୪୯୬, ୧୪୯୭ ଓ ୧୪୯୮ ସରକାରୀ ପ୍ଲଟରେ ନାଆମୀ ପଞ୍ଚାୟତ କାର୍ଯ୍ୟାଳୟ ଅବସ୍ଥିତ ବୋଲି ଖତିୟାନରେ ଉଲ୍ଲେଖ ରହିଛି। ମାତ୍ର ୧୯୬୮ ମସିହାରୁ ନାଆମୀ ସେବା ସମବାୟ ସମିତି କାର୍ଯ୍ୟାଳୟ ପଞ୍ଚାୟତ ପରିସରରେ ଅସ୍ଥାୟୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା।

୧୯୮୦ ମସିହାରେ ସମିତି ପାଇଁ କ୍ଷୁଦ୍ର କାର୍ଯ୍ୟାଳୟ ପଞ୍ଚାୟତ ପରିସରରେ ନିର୍ମାଣ କରାଯାଇଥିଲା। ଅନ୍ୟପକ୍ଷରେ ସମିତି କାର୍ଯ୍ୟାଳୟ ପାଇଁ ବିଦ୍ୟୁତ ଯୋଗାଣ ପଞ୍ଚାୟତରୁ ହେଉଥିଲା ଓ ଏହାର ବିଲ ପଞ୍ଚାୟତ ହିଁ ପୈଠ କରୁଛି। ପୁନଶ୍ଚ ସାତଶୋଳା ମୌଜାର ୪୪୯ ଖାତାରେ ପ୍ଲଟ ନଂ ୧୫୧୧/୨୬୭୯ରେ ୪ ଡେସିମିଲ ପରିମିତ ନିଜସ୍ୱ ଗୃହନିର୍ମାଣ ଜମି ଥିବା ବେଳେ ପଞ୍ଚାୟତ ପରିସରରେ ସୋସାଇଟି ଗୃହ ନିର୍ମାଣ କରି ଅଯଥା ବିବାଦ କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିଛନ୍ତି ସରପଞ୍ଚ। ଏକ ଛୋଟିଆ ଜମି ଉପରେ ପଞ୍ଚାୟତ ପରିସର ଅବସ୍ଥିତ। ଦିନକୁ ଦିନ କାର୍ଯ୍ୟ ପରିସର ବୃଦ୍ଧି ପାଉଥିବାରୁ ପଞ୍ଚାୟତ ପାଇଁ ପରିସର ବୃଦ୍ଧି କରାଯିବା ଆବଶ୍ୟକ ରହିଛି। ଏପରି ସ୍ଥଳେ ସୋସାଇଟିକୁ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବା ଫାଇଦା ଉଠାଯାଇଛି ବୋଲି ସରପଞ୍ଚ ଆକ୍ଷେପ କରିଛନ୍ତି। ସମିତି ପକ୍ଷରୁ ପଞ୍ଚାୟତ ପରିସରରେ ଏକ ନୂତନ କୋଠରୀ ନିର୍ମାଣ ପାଇଁ ବିରାଟକାୟ ଆମ୍ବଗଛ କଟାଯିବା ଓ ନିଅଁ ଖୋଳାଯିବାରୁ ପଞ୍ଚାୟତ ପକ୍ଷରୁ ଏହାର ପ୍ରତିବାଦ କରାଯାଇଥିଲା। ଏହାକୁ ଭ୍ରୁକ୍ଷେପ ନକରି ସମିତି ପାଇଁ ଗୃହନିର୍ମାଣ ଚାଲୁ ରଖାଯିବାରୁ ସରପଞ୍ଚ ସଶ୍ମିତା ସେଠୀ ବେଆଇନ ଗଛକଟା ବିରୋଧରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ପଞ୍ଚାୟତ ପରିସର ଅବସ୍ଥିତ ଥିବା ୪ଟି ପ୍ଲଟ ବ୍ୟତୀତ ଭିନ୍ନ ଜମିରେ ସୋସାଇଟି ଗୃହ ନିର୍ମାଣ କରୁଛି। ପଞ୍ଚାୟତ ଏହାକୁ ବିରୋଧ କରିବା ଅନୁଚିତ ବୋଲି ସୋସାଇଟି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି। ସୋସାଇଟି ନାମରେ ଥିବା ଜମି ଖାଲୁଆ ହୋଇଥିବାରୁ ଗୃହ ନିର୍ମାଣ କରାଯାଇ ପାରୁ ନାହିଁ ଶ୍ରୀ ବିଶ୍ୱାଳ ମତପ୍ରକାଶ କରିଛନ୍ତି।