ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ବସ ଓ ଟ୍ରକ ଦୁର୍ଘଟଣା ଘଟି ବହୁ ଲୋକ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଯଶୋଦା ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବାବେଳେ ୧୬ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ବସ୍ରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୯ ଜଣ ଗୁରୁତର ହୋଇଥିବାବେଳେ ଜଣେ ମହିଳାଙ୍କର ଗୋଡ ସଂପୂର୍ଣ୍ଣ କଟିଯାଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଦମକଳ ବାହିନୀ ସହାୟତାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏହି ଘଟଣାର ଖବର ପାଇ ଅତିରିକ୍ତ ଏସ୍ପି ଅଂଶୁମାନ ଦ୍ୱିବେଦୀ ଓ ଭଦ୍ରକ ଗ୍ରାମାଂଚଳ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ ସେଠାରେ ପହଂଚି ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲକୁ ପଠାଇଥିଲେ । ଅନୁରୂପ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଆହତମାନଙ୍କୁ ଉତମ ଚିକିତ୍ସା ଯୋଗାଇଦେବା ପାଇଁ ଡାକ୍ତରମାନଙ୍କ ସହ ଆଲୋଚନ କରିଥିଲେ । ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରି ଉଚିତ ଚିକିତ୍ସା ଦେବାକୁ କର୍ତୃପକ୍ଷଙ୍କ ସହ ମିଳିତ ପ୍ରଚେଷ୍ଟା ଜାରି ରଖିଥିଲେ । ଗୋଡ କଟିଯାଇଥିବା ମହିଳାଙ୍କ ସମେତ ୩ ଗୁରୁତରଙ୍କୁ ସ୍ଥାନାନ୍ତର କରାଯାଇଛି ।