ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୦୯ -୨୦୧୪ ମସିହା ମଧ୍ୟରେ ନଳଗୋହିରା ଗ୍ରାମ ପଂଚାୟତରେ ବିଭିନ୍ନ ଆର୍ଥିକ ଅଣିୟମତତା ଦେଖା ଯାଇଥିଲା । ଏହି ସମୟ ମଧ୍ୟରେ ଏହି ପଂଚାୟତରେ କାର୍ଯ୍ୟରତ ଜିଆରଏସ ଗୌରହରି ଜେନା ମନରେଗା କାର୍ଯ୍ୟରେ ନିଜ ବ୍ୟାଙ୍କ ଖାତାକୁ ୩୪୩୨ ଟଙ୍କା ଜମା କରି ଏହି ଅର୍ଥ ହଡପ କରିଛନ୍ତି ତ ଆଉ କେତେବେଳେ ମନରେଗା କାର୍ଯ୍ୟରେ ସଂପୃକ୍ତି ନଥିବା ମହିଳା, ସରକାରୀ ଚାକିରିଆ, ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏବଂ ଭୂତ ଗ୍ରାମସାଥୀ ମାନଙ୍କୁ ଏହି କାର୍ଯ୍ୟରେ ଶ୍ରମିକ ଭାବେ ଦର୍ଶାଇ ସେମାନଙ୍କ ନାମରେ ମଷ୍ଟର ରୋଲ ଦେଖାଇ୧ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଗୌଡୁଣୀପୋଖରୀ ପୋଷ୍ଠ ଅଫିସରେ ୨ଲକ୍ଷରୁ ଅଧିକ ଟଙ୍କା ଏମାନଙ୍କ ନାମରେ ଜମା ହୋଇ ରହିଅଛି । ଏହି ସମସ୍ତ ଅଭିଯୋଗ ସାମାଜିକ କର୍ମୀ ସୁରେଶ ଚନ୍ଦ୍ର ନାୟକ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣିଥିବା ବେଳେ ଏହାର ବିଦ୍ଧିବଦ୍ଧ ତଦନ୍ତ ମଧ୍ୟ ସରିଛି । ଏହି ତଦନ୍ତ ଅନୁଯାଇ ପଦ୍ମାବତୀ ବିଶ୍ୱାଳ, ସବିତା ଜେନା, ଅରୁଣା ବିଶ୍ୱାଳ, ଏବଂ ଶାନ୍ତିଲତା ମହାନ୍ତି ପ୍ରମୁଖ କୌଣସି କାର୍ଯ୍ୟରେ ଲିପ୍ତ ହୋଇ ନଥିବା ବେଳେ ଏମାନଙ୍କ ନାମରେ ମଷ୍ଟର ରୋଲ ବାହାର କରାଯାଇଛି । ଏହିପରି ୨୦୦୯ ମସିହା ପୂର୍ବରୁ ମୃତ ବଟକୃଷ୍ନ ବରାଳ ଙ୍କ ନାମରେ ମଷ୍ଟର ରୋଲରେ ଉଲ୍ଲେଖ ଥିବା ବେଳେ କର୍କଟ ରୋଗରେ ପିଡୀତା ଗେଡି ବଳଙ୍କୁ ମଧ୍ୟ ଶ୍ରମିକ ଭାବେ ଦର୍ଶାଯାଇଛି । ପକ୍ଷାଘାତ ରୋଗୀ ଭାବେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ରଙ୍ଗଲତା ବଳଙ୍କୁ ମଧ୍ୟ ଶ୍ରମିକ ଭାବେ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଅଭିଯୋଗ ର ତଦନ୍ତ ସରିଥିବା ବେଳେ ଦୀର୍ଘଦିନ ହେବ ସଂପୃକ୍ତ ଜିଆରଏସଙ୍କ ବିରୁଦ୍ଧରେ ବିଭାଗୀୟ ଅଧିକାରୀ ଥାନାରେ କୌଣସି ଲିଖିତ କରୁ ନାହାନ୍ତି ଅଥବା ଚାକିରୀରୁ ବହିଷ୍କାର ମଧ୍ୟ କରୁ ନାହାନ୍ତି ବୋଲି ସାମାଜିକ କର୍ମୀ ସୁରେଶ ନାୟକ ଅଭିଯୋଗ ଆଣିଛନ୍ତି । ତୁରନ୍ତ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ନଗଲେ ସେ ଏହାର ପ୍ରତିବାଦରେ ସେ ଆସନ୍ତା ୧୪ ତାରିଖ ଦିନ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ହଙ୍ଗର ଷ୍ଟ୍ରାଇକରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।