Odiapua.com

ନରିପୁରରେ ଶ୍ରୀରାମ ନବମୀ, ମାସେ ବ୍ୟାପୀ ପାଳିତ, ଧୂମ୍‌ଧାମରେ ପାଣିକୁ ଗଲେ ମୂର୍ତ୍ତି

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନରିପୁର ଅସ୍ଥଳ ଗ୍ରାମ ସ୍ଥିତ ମା’ ବୁଢୀ ଜାଗୁଳାଇ ଜାଡ଼ି ବାସୁଳୀ ପାର୍ଶ୍ୱ ରାମ ମନ୍ଦିରରେ ଶ୍ରୀରାମ ନବମୀ ମହେତ୍ସବ ରାମ ନବମୀ ଠାରୁ ଏକମାସ ଆଠ ଦିନ ଧରି ପାଳିତ ହୋଇଛି। ଗତକାଲି ଏହାର ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ଏଥିରେ ପୂଜା କର୍ମକର୍ତ୍ତା, କାଉନସିଲର ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ପୂଜା କର୍ମରେ ପ୍ରତ୍ୟେକ ଦିନ ପ୍ରସାଦ ସେବନ, ସନ୍ଧ୍ୟା ଆଳତୀ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାଆନ୍ତି। ଦୈନନ୍ଦିନ ବିଗ୍ରହଙ୍କଠାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ହୋଇଥାଏ। ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ପାଠ, ପ୍ରବଚନ, ପାଲା, ପାରାୟଣ, ଧର୍ମ ଚର୍ଚ୍ଚା ହେବା ସହ ବିଶିଷ୍ଟ ପ୍ରବଚକ ଜିତୁ ଦାସ ଏବଂ ବିଶିଷ୍ଟ ସଂଗୀତଜ୍ଞ ସୁବାସ ଦାଶଙ୍କ ଟ୍ରୁପ୍‌ଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ତେବେ ଏହି ଶ୍ରୀରାମ ନବମୀରେ ପ୍ରତିଦିନ ଗ୍ରାମବାସୀଙ୍କ ପକ୍ଷରୁ ପାଳି ଭୋଗ ଲାଗି ହୋଇ ପ୍ରସାଦ ସେବନ ସମସ୍ତେ କରିଥାନ୍ତି। ଉଲ୍ଲେଖ ଯୋଗ୍ୟ ଯେ ପାଳି ଭୋଗ ଶେଷ ନହେବା ଯାଏ ପ୍ରଭୁ ପୂଜା ପାଇଥାନ୍ତି। ପ୍ରଭୁ ଶ୍ରୀରାମ, ଳକ୍ଷ୍ମଣ, ଦେବୀ ସୀତା, ହନୁମାନଙ୍କ ବିଗ୍ରହ ମେଢ ଏକ ଶୋଭଯାତ୍ରାରେ ଘଣ୍ଟବାଦ୍ୟ, ଶାଙ୍ଖ ଧ୍ୱନୀରେ ଗ୍ରାମରୁ ନିଆଯାଇ ନଗର ପରିକ୍ରମା କରିବା ପରେ ସାଳନ୍ଦୀ ନଦୀଘାଟରେ ବିସର୍ଜନ କରାଯାଇଥିଲା। ଭସାଣୀ ଯାତ୍ରାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା।