Odiapua.com

ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଭାରିଯାନ ଚଳାଚଳ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଭଗାମୁଣ୍ଡା ଯୁବଗୋଷ୍ଠୀ

ହରିଚନ୍ଦନପୁର,ତା ୧୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଭଗାମୁଣ୍ଡା ଯୁବଗୋଷ୍ଠୀ । ଭିଆଇପି ରାସ୍ତାର ମାନ୍ୟତା ପାଇଥିବା ଏହି ରାସ୍ତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟାତିତ ଅନ୍ୟ କୌଣସି ଭାରି ପଣ୍ୟବାହୀ ଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିଲା । ହେଲେ ପ୍ରଶାସନର ଅବହେଳା ଓ ଲାଭଖୋର ନିତିକୁ ନେଇ ଏହି ରାସ୍ତାରେ ଗତ କିଛିଦିନ ହେବ ଶହଶହ ବିଭିନ୍ନ ଚକିଆ ଟ୍ରକ ଲୁହାପଥର ପରିବହନ ନିମନ୍ତେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ୨୦ନମ୍ବର ଜାତୀୟ ରାଜପଥରେ ଲୁହାପଥର ବୋଝେଇ ଗାଡ଼ି ଗୁଡ଼ିକ ଯାତାୟାତ ପାଇଁ ପ୍ରଶାସନର ନିର୍ଦ୍ଦେଶ ରହିଥିବା ବେଳେ ୩ଟି ଟୋଲ ଗେଟରେ ଅଧିକ ଶୁକ୍ଳ ଓ ଦୂରତା କମ୍ ନେଇ ଟ୍ରକମାଲିକମାନେ ଅଧିକ ଲାଭବାନ ଆଶାରେ ଏହି ରାସ୍ତାରେ ଗାଡ଼ି ଗୁଡ଼ିକ ଚଳାଚଳ କରୁଛନ୍ତି । ଦୂରତା କମ୍, ଅଧିକ ଟ୍ରିପ୍ ଓ ଟୋଲ ଗେଟ୍ ଶୁକ୍ଳ ବଞ୍ଚାଇବା ପାଇଁ ଭାରିଯାନ ନିଷେଧ ଥିବା ଏହି ରାସ୍ତାରେ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ନଜିର ରହିଛି । ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନରଣପୁର ଠାରୁ ବ୍ରାହ୍ମଣୀପାଳ ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଥିବା ନେଇ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୁଖ୍ୟ କଥା ଏହି ରାସ୍ତାରେ ଅଧିକ ମାତ୍ରାରେ ଟ୍ରକ ଗୁଡ଼ିକ ଚଳାଚଳ କରୁଥିବାରୁ ଅତି ଆବଶ୍ୟକୀୟ ଯାନ ତଥା ଆମ୍ବୁଲାନ୍ସ, ଖୀର ଗାଡି, ଭଳି ଜରୁରୀକାଳିନ ଗାଡିଗୁଡିକ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା ଦିନକୁଦିନ ଖରାପ ହେବା ସହ ବିଭିନ୍ନ ଦୁର୍ଘଟଣାକୁ ନେଇ ଏହାକୁ ବିରୋଧ କରି ଭଗାମୁଣ୍ଡା ଗ୍ରାମର ଓଡ଼ିଶା ଉନ୍ନୟନ ଯୁବକ ସଂଘ ପକ୍ଷରୁ ରାଜରାସ୍ତାରେ ଟାୟାର ଜାଳି ଭାରିଯାନ ଗାଡ଼ି ଗୁଡ଼ିକୁ ଅଟକ ରଖି ସ୍ଥାନୀୟ ଥାନା ଓ ଘଟଗାଁ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକକୁ ଖବର ଦେଇଥିଲେ । ଖବର ପାଇ ଏସଡିପିଓ ଓ କେନ୍ଦୁଝର ଏମଭିଆଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଅଭିଯୋଗ ଶୁଣି ଗାଡ଼ି ଗୁଡ଼ିକରୁ ଜୋରିମାନା କଟିଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ତୁରନ୍ତ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ରାସ୍ତାରେ ଅତ୍ୟାଆବଶ୍ୟକୀୟ ଯାନ ବ୍ୟାତିତ ଲୁହାପଥର ପରିବହନ ଯାନକୁ ବନ୍ଦ କରିବା ପାଇଁ ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।