Odiapua.com

ନମସ୍କାର

ଏକ ସମ୍ମାନ ଯାହା ଉଭୟଙ୍କ ମର୍ଯ୍ୟାଦା ବୃଦ୍ଧି କରିବା ସହିତ କିଛି ସାମାଜିକ ମାନ୍ୟତାର ନିଦର୍ଶନ କରିଥାଏ।
ହେଲେ ସମ୍ମାନର ଉପଯୁକ୍ତତା ଉପରେ ଆଧାରିତ ବିଷଦ୍ଜ୍ଞାନ ରହିତ ଦାତା, ଗ୍ରହିତାଙ୍କ ସମ୍ବନ୍ଧିତ ସଂକେତ ଦର୍ଶକଙ୍କୁ କେଉଁ ବାର୍ତ୍ତା ପ୍ରଦାନ କରିଥାଏ ଏବଂ ଉଭୟଙ୍କ ମଧ୍ୟରେ ରହିଥିବା ମନୋଭାବ ବିଶ୍ଳେଷଣ କରିବା ଏକ ଜଟିଳ ବିଷୟ ଆଜି ସମୟର !
ନମସ୍କାର ଆଜି ସମୟର ଏକ ବାହ୍ୟ ସମ୍ମାନ ଆଭ୍ୟନ୍ତରୀଣ ତାତ୍ସଲ୍ୟର ପରିଭାଷାରେ ପରିଣତ ହୋଇଥିବା ଅନୁଭବ ହୁଏ ଆମର !

ସାଧାରଣତଃ ନିଜ ଠାରୁ ବୟୋଜ୍ୟେଷ୍ଠ କିମ୍ବା ସାମାଜିକ ଉଚ୍ଚସ୍ଥାନିତ ବ୍ୟକ୍ତିଙ୍କୁ ଅଭିନନ୍ଦନରେ ଆମେ ନମସ୍କାର କରିଥାଉ। ଏହା ଆମର ଏକ ସାମାଜିକ ଶୈଖିକତା ତଥା ନିଜସ୍ୱ ଚେତନା ଜ୍ଞାନରୁ ଉଦ୍ଧୃତ। ବାଲ୍ୟକାଳରୁ ବଡ଼ଙ୍କୁ ସମ୍ମାନ ସାନକୁ ଆଦର କରିବା ଶିକ୍ଷା ମିଳିଥାଏ ଆମ ସମାଜରୁ। ସାମାଜିକ ସମ୍ମାନର ପ୍ରାଥମିକ ପରିଭାଷା ଭାବେ ନମସ୍କାର ସର୍ବଜନ ଗ୍ରହୀତ। ନମସ୍କାର ବ୍ୟତୀତ ଆହୁରି ଅନେକ ସମ୍ମାନର ପରିଭାଷା ବ୍ୟବହୃତ ହୋଇଥାଏ ଭାରତୀୟ ସଂସ୍କାରରେ ଯାହା ସବୁ ଆମେ ସମସ୍ତେ ଜାଣୁ। ହେଲେ ପ୍ରାଥମିକ ସ୍ତରର ସମ୍ମାନ, ନମସ୍କାରକୁ ଆମେ କେମିତି ବ୍ୟବହାର କରୁଛୁ ଏବଂ ତାହାର ସାମାଜିକ ଗ୍ରହଣୀୟତା ଉପରେ ଆଲୋଚନା କଲେ ହୁଏତ ଅନ୍ୟାନ୍ୟ ସମ୍ମାନସ୍ପଦ ସମ୍ବୋଧନ ଗୁଡ଼ିକର ପରିଭାଷାକୁ ଆମେ ସହଜରେ ବୁଝି ପାରିବା ବୋଲି ଆମର ଅନୁମାନ। ଉପସ୍ଥିତ ସମୟର ଭାରତୀୟ ମନୋଭାବରେ ନମସ୍କାରକୁ ସ୍ଥଳ ବିଶେଷକୁ ନେଇ କେମିତି ବ୍ୟବହାର କରାଯାଉଅଛି ଏବଂ ତାହାର ମାନବିକ ଚେତନାର ସାନ୍ଧ୍ରତା କେତେ ବିଚାରକୁ ନେଲେ ବୁଝିହେବ।

ନମସ୍କାର କରି ସମ୍ମୁଖସ୍ଥ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ସହିତ ନିଜର ମର୍ଯ୍ୟାଦା ବୃଦ୍ଧି କରାଯିବା ଲକ୍ଷ ରଖି ପ୍ରଦାନ କରାଯାଉଥିବା ସମ୍ମାନର ପ୍ରକାର ଭେଦ ଗୁଡିକୁ ବିଶ୍ଳେଷଣ କରି ଦେଖିଲେ ଜାଣିହେବ ଯେ, ଆମେ କେତେପ୍ରକାର ନମସ୍କାର କରିଥାଉ ଏବଂ ସେଗୁଡିକର ସାଙ୍କେତିକ ଅର୍ଥ କ’ଣ ନିଦର୍ଶନ କରିଥାଏ..

ସ୍ଥଳ ବିଶେଷକୁ ନେଇ ସମ୍ମାନ ପ୍ରଦର୍ଶନ କରିବା ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ନମସ୍କାର କରିବା ବାଧ୍ୟତା ନାହିଁ ଭାରତୀୟ ସାମ୍ବିଧାନିକ ନିୟାମକ ମଧ୍ୟରେ ! ଆମେ କି’ନ୍ତୁ ସାମାଜିକ ଶୈଖିକତା ଜନିତ ନମସ୍କାର କରିଥାଉ କେତେକ ସାମାଜିକ କ୍ଷେତ୍ରରେ। ନମସ୍କାର କରିବାର ପ୍ରକାର ଭେଦ ଗୁଡିକ ମଧ୍ୟରୁ, ଆନ୍ତରିକ ଆଗ୍ରହ ତଥା ପ୍ରେମରୁ ଜାଗ୍ରତ ସମ୍ମାନ ଜନିତ ନମସ୍କାର, ଅନାଗ୍ରହ ଥାଇ ବାଧ୍ୟବାଧକତା ମଧ୍ୟରେ ନମସ୍କାର, ଦେଖାଣିଆ ଭାବରେ ନମସ୍କାର, ହାସ୍ୟାସ୍ପଦ ନମସ୍କାର ଏମିତିକି କ୍ରୋଧାନ୍ୱିତ ନମସ୍କାରର ପରିଭାଷା ମଧ୍ୟ ଦେଖିବାକୁ ମିଳିଥାଏ କେତେକ କ୍ଷେତ୍ରରେ ଯାହା ସବୁ ସ୍ଥଳ ବିଶେଷକୁ ନେଇ ପ୍ରଦର୍ଶିତ କରାଯାଇ ଥାଏ। କେତେକ କ୍ଷେତ୍ରରେ ନମସ୍କାର ମାଗିବା ତଥା ଆତ୍ମସମ୍ମାନ ବୃଦ୍ଧିକରିବା ଲକ୍ଷ ରଖି ସମ୍ମୁଖସ୍ଥ ବ୍ୟକ୍ତିଙ୍କୁ ବିଭିନ୍ନ କଠୋର ମନ୍ତବ୍ୟ ଦିଆଯିବା ନମୁନା ମଧ୍ୟ ଦେଖିବାକୁ ମିଳେ ଅନେକ ସମୟରେ ! ନମସ୍କାର କରିବା ଲୋକଟି ନିଜଠାରୁ ଛୋଟ ବୋଲି ବିଚାରକୁ ଆଣୁଥିବା ଗ୍ରହୀତା ପ୍ରାୟତଃ ୯୯ ପାରି ଦେଖିବାକୁ ମିଳିବେ ଆଜିର ସାମାଜିକ କ୍ଷେତ୍ରରେ। ହେଲେ ବାସ୍ତବିକ ନମସ୍କାରର ଉପଯୁକ୍ତତା ଉପରେ ଆଧାରିତ ଗ୍ରହଣୀୟତାର ପରିଭାଷା ବୁଝିବା ବ୍ୟକ୍ତିତ୍ୱ ଯଥେଷ୍ଟ କମ୍ ଦେଖିବାକୁ ମିଳନ୍ତି ଆଜି ସମୟରେ ! ନମସ୍କାର ମାଧ୍ୟମରେ ସମ୍ମାନ ଦେବା ଏବଂ ଗ୍ରହଣ କରିବା ଏକ ବ୍ୟାପ୍ତ ଜଟିଳ ବିଷୟ ଯାହା ଉପରେ ବିଷଦ୍ଜ୍ଞାନ ନାହିଁ କାହାର। ଅନେକ ସମୟରେ ନମସ୍କାର ଗ୍ରହୀତାଙ୍କ ଗ୍ରହଣୀୟତା ଉପରେ ବିଶ୍ଲେଷଣ କରି ଦେଖିଲେ ଜାଣିହେବ ଯେ ନମସ୍କାର କରୁଥିବା ବ୍ୟକ୍ତିଙ୍କୁ ଗ୍ରହୀତା ସତେ ଯେମିତି ନିଜର କିଣା ଚାକର ଭଳି ଅନୁଭବ କରିଥା’ନ୍ତି ଅଥବା ନିଜଠାରୁ ନୀଚ ସ୍ତରରେ ରହିଥିବା ହେତୁ ଅତ୍ୟନ୍ତ କ୍ଷୀଣ ନଜରରେ ଦେଖିଥା’ନ୍ତି ଦାତାଙ୍କୁ ଯାହାର ପ୍ରତ୍ୟୁତ୍ତର ଏକ ଗାମ୍ଭିର୍ଯ୍ୟ ସ୍ୱରରେ ମିଳୁଥିବା ବେଳେ ଆହୁରି ଅନେକ ସମୟରେ ଆଦୌ ପ୍ରତ୍ୟୁତ୍ତର ମିଳିବାର କୌଣସି ସମ୍ଭାବନା ରହିନଥାଏ ! ଏହି ସମୟର ଗ୍ରହୀତା ନିଜକୁ ଜଣେ କାହିଁ ଉର୍ଦ୍ଧର ଦେବତା ତୁଲ୍ୟ ମଣିଷ ଭଳି ଅନୁଭବ କରିଥା’ନ୍ତି ସମ୍ମୁଖସ୍ଥ ଦାତାଙ୍କ ଆଗରେ ! କି’ନ୍ତୁ ସେହି ଲୋକଟି ନିଜଠାରୁ ଉର୍ଦ୍ଧରେ ଥିବା ମଣିଷଙ୍କ ପାଖରେ ଅତ୍ୟନ୍ତ ନୀଚ୍ଚ ଭାବରେ ନମସ୍କାର ପ୍ରଦାନ କରୁଥିବା ମଧ୍ୟ କୌଣସି ଆଶ୍ଚର୍ଯ୍ୟ ବିଷୟ ନୁହେଁ ଆଜି ସମୟରେ। ହେଲେ ସାଧାରଣରେ ମଣିଷ ନିଜର ମାନବୀୟ ଚେତନାକୁ ସଂସ୍କୃତ ନକରି ଏହିଭଳି ଅମାନବୀୟ ଚରିତ୍ର ପ୍ରବାହ କରିବାର ମୂଳ ମନ୍ତ୍ର କ’ଣ ଆଲୋଚନା କରିବା..

କଥାରେ ଅଛି ଦରିଦ୍ର ଯେବେ ଧନ ପାଏ ପ୍ରାଣଠୁ ବଳି ସମ୍ଭାଳଇ ! ଅର୍ଥାତ ନିଧନ ବ୍ୟକ୍ତି କୌଣସି ସୂତ୍ର/ସୁଯୋଗରୁ ଅତ୍ୟଧିକ ଧନ ପ୍ରାପ୍ତି ହେଲେ ତାହା ସେ ନିଜ ପ୍ରାଣ ଠାରୁ ମଧ୍ୟ ଅତ୍ୟଧିକ ମୂଲ୍ୟାୟନ କରିଥାଏ ଏବଂ ସେହି ଧନକୁ ନିଜ ପ୍ରାଣଠାରୁ ଅଧିକ ଭଲ ପାଇ ତାହାର ରକ୍ଷଣାବେକ୍ଷଣ କରିଥାଏ। ଠିକ୍ ସେହିଭଳି ଆଜି ସମୟରେ ସାମାଜିକ କ୍ଷେତ୍ରରେ କୌଣସି ସୂତ୍ର/ସୁଯୋଗରୁ କ୍ଷୀଣ ମନା ମଣିଷଟିଏ ଉଚ୍ଚାସୀନ ହେଲେ ନିମ୍ନସ୍ଥ ଲୋକଙ୍କୁ ଅତ୍ୟନ୍ତ ହୀନ ନଜରରେ ଦେଖି ନିଜର ସମ୍ମାନ ଜ୍ଞାନ ବହିର୍ଭୁତ ବ୍ୟବହାର କରୁଥିବା ହେତୁ ସମ୍ମାନ ଦାତାଙ୍କୁ ସେମାନେ ହୀନ ନଜରରେ ଦେଖି ସେମାନଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନର ପ୍ରତ୍ୟୁତ୍ତର ପ୍ରଦାନ କରିବାରେ କୁଣ୍ଠାବୋଧ କରିଥା’ନ୍ତି। ସେମାନେ କୌଣସି ପ୍ରକାର ସାମାଜିକ ସମ୍ମାନର ଉପଯୁକ୍ତ ଅଂଶୀଦାର ହୋଇନଥିବା ବେଳେ କୃତ୍ରିମ ସାମାଜିକ ପ୍ରହେଳିକା କାରଣରୁ ସେମାନଙ୍କୁ ଦିଆଯାଉଥିବା ସାମାଜିକ ସମ୍ମାନର କୌଣସି ମୂଲ୍ୟାୟନ ନଥାଏ ସେମାନଙ୍କ ପାଖରେ। ସେହିଭଳି ମଣିଷ ପ୍ରାୟତଃ ସମସ୍ତେ ଦେଖିବାକୁ ମିଳନ୍ତି ଆଜି ସମୟରେ ଆମ ସମାଜରେ। ନିମ୍ନରେ ରହିଥବା ମଣିଷ ଉଚ୍ଚସ୍ଥାନିତ ବ୍ୟକ୍ତିଙ୍କୁ ନମସ୍କାର କରି ସମ୍ମାନ ଜଣାଇବା ସେମାନଙ୍କ ଏକ ଅଧିକାର ବୋଲି ଭାବନ୍ତି ସେମାନେ। ତେଣୁ ନିମ୍ନସ୍ଥ ବ୍ୟକ୍ତି କୌଣସି କାରଣରୁ ନମସ୍କାର ନକଲେ ଉପରିସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଦଣ୍ଡିତ ହେଉଥିବା ନମୁନା ମଧ୍ୟ କିଛି କମ୍ ଦେଖିବାକୁ ମିଳିବ ନାହିଁ ଅନୁଧ୍ୟାନ କଲେ। ଏହିଭଳି ଅନେକ ବିଷୟ ଉପରେ ଆଧାରିତ ନମସ୍କାର ଜନିତ ସମ୍ମାନର ବିଷଦ୍ ବ୍ୟାଖ୍ୟା କଲେ ନମସ୍କାର ଭଳି ଏକ ସାମାଜିକ ସମ୍ମାନସ୍ପଦ ବିଷୟ ଗଭୀର ହୀନ ସ୍ତରରେ ପହଁଚିଥିବା ଏକ ମର୍ମାହତ ସାମାଜିକ ପରିସ୍ଥିତି ଆଜି ସମୟର ଯାହା ଉପରେ କାହାର ନଜର ନାହିଁ କି ସମୀକ୍ଷା, ସଂସ୍କାର ନାହିଁ !

ନମସ୍କାର କରୁଥିବା ମଣିଷଟି ଯେ କେବଳ ଗ୍ରହୀତାଙ୍କ ଠାରୁ ନିଶ୍ଚିତ ଛୋଟ ବୋଲି ଭାବିବା ଅସଚେତନ ଜ୍ଞାନ ଅନ୍ତର୍ଭୁକ୍ତ। ଅନେକ ସମୟରେ ଯଥେଷ୍ଟ କ୍ଷମତା ତଥା ମାନବିକ ବିଚାରଶୀଳ ମଣିଷଟିଏ କୌଣସି ସାମାଜିକ କାରଣରୁ ଅନ୍ୟକୁ ନମସ୍କାର କରିବାକୁ ପଡିଥାଏ ଯାହା ଗ୍ରହୀତା ଲୌଲିକ ଭାବେ ଗ୍ରହଣ କରିବା ବିଧେୟ। କି’ନ୍ତୁ ଆଜି ତାହାର ବିପରୀତମୁଖୀ ବିଚାରଧାରା ହେତୁ ସାମାଜିକ ବ୍ୟତିକ୍ରମ ଦେଖିବାକୁ ମିଳେ ଅନେକ କ୍ଷେତ୍ରରେ। ଅର୍ଥାତ ନମସ୍କାର କରୁଥିବା ମଣିଷଟିକୁ ନିଶ୍ଚିତ ଆନ୍ତରିକ ଶ୍ରଦ୍ଧାର ସହିତ ଗ୍ରହଣ କରାଯିବା ଏବଂ ଶ୍ରଦ୍ଧାର ସହିତ ପ୍ରତି ସମ୍ମାନ ପ୍ରଦାନ କରାଯିବା ମାନବିକତାର ଚରମ ଶିର୍ଶକ୍ଷେତ୍ର ଯାହା କେହି କରୁନାହାନ୍ତି। ସାମାଜିକ କ୍ଷେତ୍ରରେ ଉଚ୍ଚସ୍ଥାନିତ ହେବା ଏବଂ ମାନବିକ ଚେତନରେ ଅଭିଷିକ୍ତ ହୋଇ ସମାଜରେ ପ୍ରେମ ଆବଣ୍ଟନ କରିବା ମଧ୍ୟରେ ପାର୍ଥକ୍ୟ ଯଥେଷ୍ଟ ଅଧିକ। ତେଣୁ ନିଜର ସାମାଜିକ ସ୍ଥାନ ବ୍ୟତୀତ ମାନବୀୟ ଚରିତ୍ରକୁ ଚରିତାର୍ଥ କରି ସାମାଜିକ ସମ୍ମାନରେ ସମଭୂଷିତ ହେବା ଲକ୍ଷ ରଖିଥିବା ମଣିଷଙ୍କ ଚେତନା ଭିନ୍ନ ଦିଗରେ ଦେଖିବାକୁ ମିଳିବ।

ନମସ୍କାରକୁ ଆନ୍ତରିକ ଶ୍ରଦ୍ଧାର ସହିତ ଗ୍ରହଣ କଲେ ହୁଏତ ଗ୍ରହୀତାଙ୍କ ସାମାଜିକ ପରିଚିତି ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ। ତେଣୁ ସାଧାରଣରେ ନମସ୍କାର କରି ସମ୍ମାନ ଦେଉଥିବା ସମ୍ମୁଖସ୍ଥ ମଣିଷଟିକୁ ଆନ୍ତରିକ ଶ୍ରଦ୍ଧାର ସହିତ ପ୍ରତି ସମ୍ମାନ ପ୍ରଦାନ କଲେ ଯେ ଗ୍ରହୀତାଙ୍କ ସମ୍ମାନ ଯଥେଷ୍ଟ ଗୁଣିତ ହେବ ସେଇଥିରେ କୌଣସି ସନ୍ଦେହ ନାହିଁ। ନମସ୍କାର ଗ୍ରହୀତାଙ୍କ ଠାରୁ ଦାତାଙ୍କ ମାନବିକତାର ପରିଚୟ ଅଧିକ ମିଳୁଥିବା ବେଳେ ଦାତାଙ୍କ ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଥାଏ ସ୍ଥଳ ବିଶେଷକୁ ନେଇ। ସାଧାରଣରେ ସମ୍ମୁଖସ୍ଥ ବ୍ୟକ୍ତିଙ୍କୁ ଆମେ ନମସ୍କାର କରିବା ଦ୍ୱାରା ନିଜର ଚେତନା ଜ୍ଞାନ ସହିତ ସାମାଜିକ ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଥାଏ। ତେଣୁ ସାମାଜିକ ସମ୍ମାନର ପ୍ରାଥମିକ ପରିଭାଷା ନମସ୍କାରକୁ ପ୍ରାଧାନ୍ୟତା ଦେଇ ନିଜର ସାମାଜିକ ସମ୍ମାନ ବୃଦ୍ଧି କରିବା ଲକ୍ଷ ରଖି ସମ୍ମୁଖସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ନମସ୍କାର ସହିତ ଆନ୍ତରିକ ସମ୍ମାନ ପ୍ରଦାନ କରିବା ଜଣେ ମାନବୀୟ ଚରିତ୍ରଯୁକ୍ତ ମଣିଷର ସର୍ବାଦୌ କର୍ତବ୍ୟ ହୋଇଥାଏ। ସମ୍ମାନ ଦେଲେ ସମ୍ମାନ ପାଇବା ଏବଂ ସେହି ସମ୍ମାନରେ ନିଜର ଚରିତ୍ର ସୁଧାରି ନିଜକୁ ସମାଜରେ ଜଣେ ଉତ୍ତମ ମଣିଷର ପରିଚୟ ସୃଷ୍ଟି କରିବା ପ୍ରତ୍ୟେକ ମଣିଷର ଭାବାନ୍ତର୍ଭୂକ୍ତ ହେବା ବିଧେୟ। ବିଶ୍ଲେଷିତ ତଥ୍ୟଟି କିଂଚିତ ମାତ୍ର, ଯାହାର ସବିସ୍ତୃତ ବ୍ୟାଖ୍ୟା କେବଳ ଆଲୋଚନା ଏବଂ କର୍ମଶାଳା ମାଧ୍ୟମରେ ଗୁଣାତ୍ମକ ହୋଇ ପାରିବ। ତେଣୁ ଆମକୁ ସାମାଜିକ ଚରିତ୍ର ଗୁଡିକ ଉପରେ ଜ୍ଞାନ ଆହରଣ କରିବା ପାଇଁ ଏକତ୍ରିତ ହୋଇ ସମ୍ମିଳନୀ କରାଗଲେ ମଣିଷ ସଂସ୍କୃତ ହୋଇ ପାରିବ ବୋଲି ଆମ ବିଚାରରେ ଆପଣଙ୍କ ବିଚାରଶୀଳ ମନ୍ତବ୍ୟ ପ୍ରଦାନ କରିବେ ବୋଲି ଆଶା..!

ପଙ୍କଜ କୁମାର ପାଣିଗ୍ରାହୀ।
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ