ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତର ନମକଣା ଗ୍ରାମରେ କିର୍ତ୍ତନମଣ୍ଡପ ନିର୍ମାଣ କାର୍ଯ୍ୟକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ପୁଲିସ ସୂତ୍ରରୁ ମିଳିଥିବା ବିବରଣୀ ଅନୁଯାୟୀ ନମକଣା ଗ୍ରାମରେ ଦୁଇଲକ୍ଷ ଟଙ୍କା ବ୍ୟୟ ଅଟକଳରେ କିର୍ତ୍ତନମଣ୍ଡପର ପୁନଃନିର୍ମାଣ କରାଯାଉଥିଲା । ଏହି ନିର୍ମାଣ କାର୍ଯ୍ୟ ମଧ୍ୟରେ କିର୍ତ୍ତନମଣ୍ଡପ ଛାତକୁ ନୂତନ ଭାବେ ନିର୍ମାଣ କରିବାକୁ ଗ୍ରାମର ଭରତ ଯେନା ଦାବି କରୁଥିବା ବେଳେ ନିର୍ମାଣ ଦାୟିତ୍ୱ ନେଇଥିବା ଗ୍ରାମର ପିତାମ୍ବର ଯେନା ଓ ଅନ୍ୟମାନେ କନିଷ୍ଠଯନ୍ତ୍ରୀଙ୍କ କଥାନୁସାରେ କେବଳ ସମ୍ପ୍ରସାରଣ କାର୍ଯ୍ୟ ହେବ ବୋଲି କହିଥିଲେ । ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଗଣ୍ଡଗୋଳର ରୂପ ନେଇଥିଲା । ଭରତ ଗତକାଲି ମଞ୍ଜୁରୀରୋଡ ଫାଣ୍ଡିକୁ ଯାଇ ଅଭିଯୋଗ କରିଥିଲେ । ଫାଣ୍ଡି ପୁଲିସ ଅପରପକ୍ଷଙ୍କୁ ଡକାଇଥିଲେ ମଧ୍ୟ ନଆସିବାରୁ ଭରତକୁ ଫେରାଇ ଦେଇଥିଲେ । ଭରତ ଫେରୁଥିବା ବେଳେ ବାଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ଏଥିରେ ତାଙ୍କର ଗୋଡ ଭାଙ୍ଗିଯାଇଥିଲା । ଏହ ଘଟଣାରେ ମାତାଜୀ ଯେନାଙ୍କ ଅଭିଯୋଗ କ୍ରମେ ୩୭୧/୨୧ନଂ ମାମଲା ସାତଜଣଙ୍କ ନାମରେ ଓ ବୀଣାପାଣୀ ଯେନାଙ୍କ ଅଭିଯୋଗ କ୍ରମେ ୩୭୨/୨୧ନଂ ମାମଲା ପାଞ୍ଚ ଜଣଙ୍କ ନାମରେ ଋଜୁ ହୋଇଛି । ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିନାହିଁ ।