Odiapua.com

ନଭେମ୍ବର ୩ରେ ବାଲେଶ୍ୱର ସଦର ଉପ-ନିର୍ବାଚନ, -ଆଶାୟୀ ପ୍ରାର୍ଥୀ-ଦଳୀୟ ନେତାଙ୍କ ଅପେକ୍ଷା ଅଧିକ ସକ୍ରୀୟ କର୍ମୀ, -ଉପ-ନିର୍ବାଚନ ଫିକା ପାର୍ବଣକୁ ରଙ୍ଗୀନ କରିବା ନେଇ ଆଶା

ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ରାଷ୍ଟ୍ରୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବା ପରେ ବିଭିନ୍ନ ରାଜନୈତିକ ଦଳରେ ତତ୍ପରତା ପ୍ରକାଶ ପାଇଛି। ଉଭୟ ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ମତଦାନ କରଯିବ। ଏନେଇ ଆସନ୍ତା ଅକ୍ଟୋବର ୯ ତାରିରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିବା କୁହାଯାଉଛି। ଅକ୍ଟୋବର ୧୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଲଖ ଶେଷ ହେବ, ୧୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର, ନଭେମ୍ବର ୩ରେ ମତଦାନ ଓ ୧୦ ତାରିଖରେ ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଛି। ନିର୍ବାଚନ କମିଶନଙ୍କ ଏହି ଘୋଷଣାନାମା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଯିବା ପରେ ବାଲେଶ୍ୱର ଜିଲ୍ଲାର ରାଜନୈତିକ ଦଳମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ ବିଜେପି ବ୍ୟତୀତ ଅନ୍ୟ ଦଳମାନଙ୍କ ପକ୍ଷରୁ ସୂଚନା ମିଳି ନଥିଲେ ବି ପ୍ରତ୍ୟେକ ଦଳର କର୍ମୀମାନେ ବେଶ୍ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ସଦର ନିର୍ବାଚନମଣ୍ଡଳୀର ମୋଟ ଭୋଟର ୨ ଲକ୍ଷ ୨୩ ହଜାର ୩୫୭ଙ୍କ ମଧ୍ୟରୁ ୧ଲକ୍ଷ ୧୫ ହଜାର ୨୮୨ ଜଣ ପୁରୁଷ ଓ ୧ଲକ୍ଷ ୭ ହଜାର ୮୦୩ ଜଣ ମହିଳା ଭୋଟର ଅଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ ୭୦.୬୪ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ। ଏଥିରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କୁ ସର୍ବାଧିକ ୪୭.୧୬ ଅର୍ଥାତ ୭୪ ହଜାର ୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ୬୧ ହଜାର ୪୦୯ ଖଣ୍ଡ ଅର୍ଥାତ ୩୮.୭୧ ପ୍ରତିଶତ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକଙ୍କୁ ୧୯ ହଜାର, ୭୦୪ ଖଣ୍ଡ ଅର୍ଥାତ ୧୨.୪୨ ପ୍ରତିଶତ ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କଠାରୁ ୧୩ ହଜାର ୪୦୬ ଖଣ୍ଡ ଅଧିକ ଭୋଟ ପାଇ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଗତ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ଉପ-ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶେଷ କରି ଏହି ଉପ ନିର୍ବାଚନରେ ୩ ପ୍ରମୁଖ ଦଳର ଟାଣୁଆ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା ହିଁ ଭୋଟ ହାର ବୃଦ୍ଧିରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ଯାହା ବି ହେଉ ଏହି ଉପ ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀ ଓ ଦଳୀୟ ନେତାଙ୍କ ଅପେକ୍ଷା କର୍ମୀମାନେ ଅଧିକ ତତ୍ପର ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ପାର୍ବଣ ଫିକା ପଡ଼ିବାକୁ ଯାଉଥିବା ବେଳେ ବାଲେଶ୍ୱର ସଦର ଉପ-ନିର୍ବାଚନ ଏହାକୁ ବେଶ୍ ରଙ୍ଗୀନ କରିବ ବୋଲି ଜଣାପଡ଼ିଛି।