Odiapua.com

ନଭେମ୍ବର ୨୬ ରେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡିହେବ ଭଦ୍ରକ, ଭିଡିଓ କନଫରେନ୍ସିଂରେ ଶୁଭ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଭେମ୍ବର ୨୬ ତାରିଖ ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡି ହେବ ଭଦ୍ରକ ଜିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଦ୍ୱାରା ଭଦ୍ରକ ଜିଲାରେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ର ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଶୁଭାରମ୍ଭ କରିବେ । ନେହରୁ ଷ୍ଟାଡିୟମ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଡିଓ, ଯୋଗାଣ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ବିଭାଗୀୟ ଅଫିସରଙ୍କୁ ନେଇ ଲଗାତର ଭାବେ ବୈଠକ ବସୁଛି । ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟାର ଅଗ୍ରଗତି ସଂର୍ପକରେ ଜିଲାପାଳ ଶ୍ରୀ ମାଝୀ ସମୀକ୍ଷା କରୁଛନ୍ତି । ଭିଡିଓ କନଫରେନ୍ସିଂ ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ମାର୍ଟ କାର୍ଡର ବଣ୍ଟନ ନେଇ ପଂଚାୟତ, ୱାର୍ଡ, ବ୍ଲକ୍‌, ଦୁଇ ପୌରପାଳିକା ଓ ଦୁଇ ଏନଏସିରୁ ନେଇ ଜିଲାସ୍ତରରେ କମିଟିମାନ ଗଠନ କରାଯାଇଛି । ପଂଚାୟତ ସ୍ତରରେ ବଣ୍ଟନ କେନ୍ଦ୍ରମାନ ପ୍ରତିଷ୍ଠା ହେବ । ହିତାଧିକାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତି ପଂଚାୟତରେ ଗୋଟିଏ କିମ୍ବା ଦୁଇଟି କେନ୍ଦ୍ରରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯିବାର ବ୍ୟବସ୍ଥା ରଖାଯାଇଛି । ତେବେ ଜିଲାର ୭ଟି ବ୍ଲକ୍‌, ୪ଟି ପୌରାଞ୍ଚଳ, ୨୯୭ ଟି ପଂଚାୟତ ଓ ୱାର୍ଡ ପାଇଁ ଆପାତତଃ ୨୮୦ ଟି ବଣ୍ଟନ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରତି ବଣ୍ଟନ କେନ୍ଦ୍ରରେ ପ୍ରତିଦିନ ୪୦୦ କାର୍ଡ ୪ ଦିନ ଧରି ବଣ୍ଟାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ସଫଳତା ପାଇଁ ବରିଷ୍ଠ ପଦାଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ଜିଲାପାଳଙ୍କୁ ଅତିଥି ସତ୍କାର ବ୍ୟବସ୍ଥା, ଉପଜିଲାପାଳଙ୍କୁ ଶାନ୍ତିଶୃଙ୍ଖଳା “ଲ ଏଣ୍ଡ ଅର୍ଡର”, ପିଡିଙ୍କୁ ସାମଗ୍ରିକ ଭାବେ ସମସ୍ତ କାର୍ଯ୍ୟକ୍ରମର ତଦାରଖ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ବ୍ଲକ୍‌, ଜିଲା ହେଡ୍‌କ୍ୱାର୍ଟର ଓ ଜିଲା ପୁଲିସ୍ ଡିଆଇବି ଅଫିସ୍‌ରେ କଣ୍ଟ୍ରୋଲ ରୁମ୍ ଖୋଲାଯିବାର ବ୍ୟବସ୍ଥା ରହିଛି । ୨୬ ତାରିଖରୁ ଶୁଭାରମ୍ଭ ହେବାକୁ ଥିବା ବଣ୍ଟନ କାର୍ଯ୍ୟ ୭ ଦିନ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଓ ମା’ଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ୨୦୦ ରୁ ଅଧିକ ବଡ ବଡ ଡାକ୍ତରଖାନାରେ ଏହି କାର୍ଡ ଦ୍ୱାରା ସୁବିଧା ପାଇପାରିବେ । ଏହି ନୂଆ ବ୍ୟବସ୍ଥାରେ ଲୋକଙ୍କୁ ଡାକ୍ତରଖାନାରେ କିଛି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବ ନାହିଁ । କେବଳ ଏହି ସ୍ମାର୍ଟ କାର୍ଡ ସାଙ୍ଗରେ ନେଇ ଡାକ୍ତରଖାନାକୁ ଯିବାକୁ ହେବ । ଏହି ଯୋଜନାରେ ଭଦ୍ରକ ଜିଲାରେ ୩ ଲକ୍ଷ ୨୬ ହଜାର ୧୯୨ ପରିବାର ଉପକାର ପାଇବେ । ବାସୁଦେବପୁର ବ୍ଲକ୍‌ରେ ୫୧୮୬୭ ଓ ଏନ୍‌ଏସିରେ ୭୫୩୪ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବାକୁ ଥିବାବେଳେ ଭଦ୍ରକ ବ୍ଲକ୍‌ରେ ୪୬୨୬୮, ପୌରପାଳିକାରେ ୧୭୯୬୩ ହିତାଧିକାରୀ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ । ସେହିପରି ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨୭୩୬୩, ବନ୍ତରେ ୩୩୦୬୨, ତିହିଡି ୪୪୯୧୧, ଚାନ୍ଦବାଲି ବ୍ଲକ୍ ୫୦୦୫୦, ଏନ୍‌ଏସି ୫୪୪୧ ଓ ଧାମନଗର ବ୍ଲକ୍‌ରେ ୩୭୭୫୯ ଓ ଏନ୍‌ଏସିରେ ୪୨୪୪ ମୋଟ ୩ ଲକ୍ଷ ୨୬ ହଜାର ୧୯୨ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବେ ।