Odiapua.com

ନବ ଯୌବନ ଦର୍ଶନରୁ ବଂଚିତ ହେଲେ ଜଗନ୍ନାଥ ପ୍ରେମୀ ଦର୍ଶକ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୬-ରଣପୁର ର ରାଜା ପଦ୍ମନାଭ ନରେନ୍ଦ୍ରଙ୍କ ସମୟରୁ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର ରେ ଶ୍ରୀକ୍ଷେତ୍ର ଭଳି ବାରମାସରେ ତେର ଯାତ୍ରା ନିତି ଅନୁଷ୍ଠିତ ହୋଇଆସୁଅଛି । ତେରଯାତ୍ରା ର ପ୍ରଥମ ଯାତ୍ରା ହେଉଛି ମଂଚେସ୍ନାନ ଅର୍ଥାତ ସ୍ନାନ ମଣ୍ଡପରେ ପ୍ରଭୁଙ୍କର ସ୍ନାନ ଯାତ୍ରା । ଚଳିତ ବର୍ଷ ବିନା ଭକ୍ତରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ତା ପର ଯାତ୍ରା ହେଉଛି ରଥବରଗତି ଅର୍ଥାତ ରଥଯାତ୍ରା । ରଥଯାତ୍ରା ର ପୁର୍ବରୁ ପ୍ରଭୁ ସୁସ୍ଥ ହେବା ପରେ ଅଣସର ଗୃହରେ ନେତ୍ର ଉତ୍ସବ ନିତି ଅନୁଷ୍ଠିତ ହୋଇଥାଏ । ପ୍ରଭୁ ଶ୍ରଦ୍ଧାଳୁ ଭକ୍ତ ଜଗନ୍ନାଥ ପ୍ରେମୀ ଦର୍ଶକ ମାନଙ୍କୁ ନବଯୌବନ ଦର୍ଶନ ଦେଇଥାନ୍ତି । ନବଯୌବନ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ଜଗନ୍ନାଥ ପ୍ରେମୀମାନଙ୍କର ଅତୁଟ ବିଶ୍ୱାସ । କିନ୍ତୁ ଚଳିତ ବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଠିଆ ହୋଇଛି କୋଭିଡ୍‌-୧୯ ର ନିତି ନିୟମ ।

ଫଳରେ ରଣପୁର ଜଗନ୍ନାଥ ମନ୍ଦିର ରେ ନେତ୍ର ଉତ୍ସବ ପରେ ବିନା ଦର୍ଶକରେ ନବ ଯୌବନ ଦର୍ଶନ ନିତି ଅନୁଷ୍ଠିତ ହୋଇଯାଇଅଛି । ଏ ସମ୍ପର୍କେ ଜଗନ୍ନାଥ ପ୍ରେମୀ ପଣ୍ଡିତ ଗୋଦାବରୀଶ ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର କୁ ରଣପୁରବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରିଆସୁଛନ୍ତି କିନ୍ତୁ ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ଦର୍ଶକଙ୍କ ବିନା ନବ ଯୌବନ ଦର୍ଶନ ଏକ ଅଶ୍ରୁଳ ଦୁଃଖପୁର୍ଣ୍ଣ ଘଟଣା । କିନ୍ତୁ ମହାମାରୀ କରୋନାକୁ ରୋକିବା ପାଇଁ ସରକାରଙ୍କର ନିତି ନିୟମକୁ ମାନିବା ମଧ୍ୟ ସମସ୍ତ ଦର୍ଶକଙ୍କର କର୍ତ୍ତବ୍ୟ ହେବା ଦରକାର । ରଣପୁର ଜଗନ୍ନାଥ ପ୍ରେମୀମାନେ ନବଯୌବନ ଦର୍ଶନରୁ ବଂଚିତ ହୋଇ ନିଜଘରେ ରହି ପ୍ରଭୁଙ୍କୁ ଓଡିଶାକୁ କରୋନାରୁ ମୁକ୍ତି ପାଇଁ ନିବେଦନ କରୁଥିବା ଜଣା ପଡିଛି ।