ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଏକ ବର୍ଷ ଧରି ତିନୋଟି କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଷୀମାନେ ଆନ୍ଦୋଳନ ଚଳାଇ ଆସିଥିଲେ । ବହୁ ଆଲୋଚନା ପରେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ନଥିବାରୁ ଆନ୍ଦୋଳନ ଜାରୀ ରହିଥିଲା । ଶେଷରେ କେନ୍ଦ୍ର ସରକାର ବିନା ସର୍ତ୍ତରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି । ଏସମ୍ପର୍କରେ ସଂସଦରେ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ସାର୍ବଜନୀନ ହୋଇଛି । ତେବେ କେନ୍ଦ୍ର ସରକାର ଏହି ବିବାଦୀୟ କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଘଟଣା ଚାଷୀଙ୍କର ବିଜୟ ଓ ସରକାରଙ୍କ ପରାଜୟ ବୋଲି ଅଭିହିତ କରିଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ଭଦ୍ରକ ଶାଖା । ଏହି କ୍ରମରେ ଏକ ଶୋଭାଯାତ୍ରା ପୁରୁଣାବଜାରସ୍ଥିତ ମଦିନା ମଇଦାନ ଠାରୁ ବାହାରି ମହିଳା ମହାବିଦ୍ୟାଳୟ, ମୋଚି ଛକ, କଚେରୀ ବଜାର, ଓଟି ମାର୍କେଟ, ରାଜଘାଟ ଛକ, ଚନ୍ଦନଜାର ଦେଇ ପୁଣି ମଦିନା ମଇଦାନ ଠାରେ ପହଞ୍ଚିଥିଲା । ସେଠାରେ ନିକଟରେ ମୃତ୍ୟୁବରଣ କରିଥିବା ସିଡିଏସ ବିପିନ ରାଶୱତ୍ ଓ ଅନ୍ୟ ୧୨ଜଣ ସହିଦଙ୍କ ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ କ୍ୟାଣ୍ଡେଲ ଜଳାଇ ନୀରବ ପ୍ରାର୍ଥନା କରିବା ସହ ସେମାନଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା । ଅନୁରୂପ ଚାଷୀ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ୭ଶହରୁ ଉର୍ଦ୍ଧ୍ୱ ଚାଷୀଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥଇା । ତେବେ ସଂଗଠନର ଜିଲ୍ଲା ସଭାପତି ଜାହିର ଖାନ, ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ତ୍ରିଲୋଚନ ପଣ୍ଡା, ସତ୍ୟ ନାୟକ, ସବିର ଖାନ, ନସିରୁଦ୍ଦିନ ଖାଁ, ଦିବ୍ୟ ରଂଜନ ସାହୁ, ଜାନ୍ ଖାନ, ସାଜିଦ ଖାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।