Odiapua.com

ନବ ନିର୍ମାଣ କୃଷକ ସଙ୍ଗଠନର ରଣପୁର ଏନ୍‌.ଏ.ସି ଆଗରେ ଧାରଣା

ନୟାଗଡ/୨୮/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ରେ ଆବାସ ଯୋଜନା, ଭୂମୀ ହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ରାସନ୍ କାର୍ଡ ଓ ସ୍ୱଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ଥିଲା ବାଲାଙ୍କୁ ସରକାରୀ ସହାୟତା ମିଳୁଥିବା ବେଳେ ନଥିବା ବାଲାଙ୍କୁ ମିଳୁ ନଥିବା ନେଇ ଅନେକ ଅଭିଯୋଗ ହୋଇ ଆସୁଥିଲା। ତା ସହିତ ରଣପୁର ଏନ୍‌.ଏ.ସି ରେ ଅନେକ କୃଷକ ପରିବାର ଥିଲେ ମଧ୍ୟ କାଳିଆ ଯୋଜନାରେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ତେଣୁ ନବ ନିର୍ମାଣ କୃଷକ ସଙ୍ଗଠନର ରଣପୁର ଏନ୍‌.ଏ.ସି ସଂଯୋଜକ ଅଜୟ ମହାନ୍ତି ଓ ନେତାଜୀ ଦଳିତ ଆଦିବାସୀ ସଙ୍ଘର ସମ୍ପାଦକ ଗଙ୍ଗାଧର ନାୟକଙ୍କ ନେତୃତ୍ୱରେ ରଣପୁର ଏନ୍‌.ଏ.ସି ଆଗରେ ନଭେମ୍ବର ୨୮ ତାରିଖରେ ଏକ ଧାରଣା ଅନୁଷ୍ଠିତ ହୋଇଥିଲା। ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନର ଅକ୍ଷୟ ବାବୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାଜ୍ୟ ସଂଯୋଜକ ଶେଷଦେବ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ବାର ଆସୋସିଏସନ୍ ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା, ସତ୍ୟବ୍ରତ ନାୟକ, ନୟାଗଡ ଜିଲ୍ଲା ମହିଳା ସଂଯୋଜିକା ମମତା ନାଥ ଓ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। ସମସ୍ତ ସମସ୍ୟା ସମ୍ପର୍କରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥିଙ୍କ ଅଲୋଚନା ପରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ରଣପୁର ଏନ୍‌.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଅର୍ଚ୍ଚନା ନାୟକ ଧାରଣା ସ୍ଥଳକୁ ଆସି ଡିସେମ୍ବର ୫ ତାରିଖ ମଧ୍ୟରେ ଭୂମିହୀନଙ୍କୁ ଘର ଡିହ ପଟ୍ଟା ପ୍ରଦାନର ନୁତନ ସର୍ଭେ କରାଯିବ ବୋଲି ସୂଚନା ପ୍ରଦାନ କରିବା ସହ ସମସ୍ତ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବା ବୋଲି ପ୍ରତିଶୃତି ଦେଇଥିଲେ। ଯାହା ଫଳରେ ଧାରଣାରେ ବସିଥିବା ଶତାଧିକ ମହିଳା ଓ ପୁରୁଷ ମାନେ ଧାରଣାରୁ ଓହରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ୟା ଗୁଡିକର ସମାଧାନ ନ କରାଗଲେ ଆଗାମୀ ଦିନରେ ୧୦ ହଜାର କୃଷକ ମାନଙ୍କୁ ନେଇ ରଣପୁର ଏନ୍‌.ଏ.ସି କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଅକ୍ଷୟ ବାବୁ ସୂଚନା ଦେଇଥିଲେ।