Odiapua.com

ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏଠାରେ ନବ ନିର୍ମାଣ କୃଷକ ସଂଗଠନ, ଓଡ଼ିଶାର ଭଦ୍ରକ ଜିଲ୍ଲାର ସଂଗଠକ ମାନେ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ବର୍ତ୍ତମାନର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିଥିଲେ । ସଂଗଠନର ଜିଲ୍ଲା ସହସଂଯୋଜକ ସତ୍ୟ ନାୟକ କହିଥିଲେ କି, ବର୍ତ୍ତମାନ ଚାଷୀମାନଙ୍କଠାରୁ ୫ରୁ ୮ ପ୍ରତିଶତ ଧାନ କଟ୍‌ନୀ କରାଯାଉଛି । ପାକ୍ସ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଚାଷୀଙ୍କୁ ଅଖା ଯୋଗାଣ କରୁନାହାନ୍ତି । ଏଣୁ ଚାଷୀ ସିଧା ସଳଖ କୁଇଣ୍ଟାଲ ପ୍ରତି ଅଖା ପାଇଁ ୩୦ ଟଙ୍କା ଏବଂ କଟ୍‌ନୀ ବାବଦକୁ ୧୨୦ଟଙ୍କା, ଏହିପରି ମୋଟ ୧୫୦ ଟଙ୍କା ଶୋଷଣର ଶିକାର ହେଉଛି । ଚାଷୀ ଘରେ ଧାନ ମହଜୁଦ୍ ଥାଇ ସେ ଟୋକନ ପାଇ ପାରୁନାହିଁ । ଗ୍ରାମାଞ୍ଚଳରୁ ପ୍ରତିଦିନ ପ୍ଲାଷ୍ଟିକ ଅଖାରେ ଦଲାଲମାନେ ୧ ହଜାର ଟଙ୍କାରୁ ୧୧୫୦ ଟଙ୍କା କୁଇଣ୍ଟାଲ ପ୍ରତି ଦରରେ ଧାନ କ୍ରୟ କରି ଶହଶହ ଟ୍ରକରେ ବୋହି ନେଉଥିଲେ ବି, ପ୍ରଶାସନ ହାତରେ ଧରା ନପଡ଼ିବା, ବେପାରୀ, ଯେଗ।।ଣ ବିଭାଗ, ଆର୍‌.ଏମ.ସି. ଏବଂ ପୁଲିସର ମିଲି ଭଗତକୁ ସାବ୍ୟସ୍ତ କରୁ ନାହିଁକି ବୋଲି ପ୍ରଶ୍ନ କରାଯାଇଛି । ଚେତାବନୀ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନ ନେଲେ ସି.ଏସ୍‌.ଓ. ଅଫିସ, ପାକ୍ସମାନଙ୍କରେ ତାଲା ପଡିବା ସହିତ ଆଗାମୀ ଦିନରେ ଦିଲ୍ଲୀ ଢାଞ୍ଚାରେ ଏକ କୃଷକ ଆନ୍ଦୋଳନ ପ୍ରତି ଜିଲ୍ଳାରେ କରିବା ପାଇଁ ମନ୍ତ୍ରଣା ଚାଲିଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଜିଲ୍ଳା ସଂଯୋଜକ ତ୍ରିଲୋଚନ ପଣ୍ଡା, ଭଦ୍ରକ ସଂଯୋଜକ ସୀତାକନ୍ତ ସାହୁ, ଭଣ୍ଡାରିପୋଖରୀ ସଂଯୋଜକ ବିବେକାନନ୍ଦ ଜେନା, ଧାମନଗର ସଂଯୋଜକ ପୀତବାସ ମହାନ୍ତି, ଚାନ୍ଦବାଲି ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ୱାଳ ତଥା ପ୍ରଭାତ ମହାଳିକ, ରବୀନ୍ଦ୍ର ପଣ୍ଡା, ବିଜୟ ନାୟକ, ଅମୂଲ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।