Odiapua.com

ନବୀନ ଓ ମୋଦି ସରକାର ରାଜ୍ୟ ପ୍ରଗତୀର ବାଧକ- ଶରତ ପଟ୍ଟନାୟକ, ଭଦ୍ରକରେ ‘ଭାରତ ଯୋଡ଼-ଓଡିଶା’ ପରିବର୍ତ୍ତନ ଯାତ୍ରା

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ଦୀର୍ଘ ୨୨ ବର୍ଷର ସରକାର ଓ ନରେନ୍ଦ୍ର ମୋଦୀଙ୍କ ୮ବର୍ଷର ସରକାର ଓଡିଶା ପ୍ରଗତୀରେ ଅନ୍ତରାୟ ସାଜିଛନ୍ତି। ନବୀନ ସରକାର ନିରବଛିନ୍ନ ଭାବରେ ଦୁଇ ଦଶନ୍ଧିରୁ ଅଧିକ କାଳ ଶାସନ କରିବା ପରେ ମଧ୍ୟ ଆଜି ଓଡିଶାର ଯୁବବର୍ଗ. କୃଷକ, ଶ୍ରମିକ, ମହିଳା ସ୍ୱଳ୍ପ ଆୟକାରୀ ବର୍ଗ, ମଧ୍ୟ ଆୟକାରୀ ବର୍ଗ ସମାନ୍ୟ ସବୁଧାରୁ ବଞ୍ଚିତ ବୋଲି ଭାରତ ଯୋଡ଼-ଓଡ଼ିଶା ପରିବର୍ତ୍ତନ ଯାତ୍ରାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଭଦ୍ରକ ଠାରେ କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତିଯେ ରାଜ୍ୟରେ ଯୁବବର୍ଗ କର୍ମ ସଂସ୍ଥାନ ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଚାଷୀ ସେମାନଙ୍କ ହକ୍ ପାଉ ନାହିଁ। ମହିଳାମାନେ ନିର୍ଯ୍ୟାତିତ। ନାରୀ ନିର୍ଯ୍ୟାତନାରେ ଓଡିଶା ଦେଶରେ ପ୍ରଥମ। ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ ଏ ସମସ୍ତ ଯୋଜନା ଲୋକଙ୍କର କି ପରିବର୍ତ୍ତନ ଆଣିଲା ତା’ ଉପରେ ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ହେଉ ନାହିଁ। ରାଜ୍ୟରେ କୃଷକର ଆୟ ଭାରତ ବର୍ଷରେ ସର୍ବନିମ୍ନ। ତଥାପି ମୁଖ୍ୟମନ୍ତ୍ରୀ କହୁଛନ୍ତି କାଳିଆ ଯୋଜନା ଦ୍ୱାରା କୃଷକର ଆୟ ବହୁ ପରିମାଣରେ ବୃଦ୍ଧି ପାଇଛି। ପଡୋଶୀ ରାଜ୍ୟମାନେ ଧାନର ସର୍ବନିମ୍ନ ମୂଲ୍ୟ ୨୫ଶହ ଟଙ୍କା ହୋଇଥିବାବେଳେ, ଓଡିଶାରେ ସେହି ମୂଲ୍ୟ ପାଉନାହାନ୍ତି ଚାଷୀ। ଅଭାବୀ ବିକ୍ରି ଏହି ରାଜ୍ୟର ସର୍ବବୃହତ ସମସ୍ୟା। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ନେତାମାନେ କହୁଥିଲେ ସୂର୍ଯ୍ୟ ଉଦୟ ଓଡିଶାରୁ ଆରମ୍ଭ ହେବ।

୮ବର୍ଷ ମଧ୍ୟରେ ସୂର୍ଯୋ୍ୟଦୟ ଦୂରର କଥା ସିନ୍ଦୁରା ବି ଫିଟିଲା ନାହିଁ। ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଓଡିଶା ପଦଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଯୁବକ, କୃଷକ, ମହିଳା ଓ ଶ୍ରମିକଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିବା ଓ ସ୍ଥାନୀୟ ଅଂଚଳର ସମସ୍ୟା ସହିତ ଜଡ଼ିତ ହେବା। ଏଥି ସହିତ କେନ୍ଦ୍ରରେ ମୋଦି ସରକାର ଯେପରି ବିଭାଜନ ନୀତି ଆପଣାଉଛନ୍ତି, ତାହାକୁ ପ୍ରତିହତ କରିବା। ଯେ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ମୁହଁରେ ହସ ନଫୁଟିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଚୁପ ହୋଇ ବସିବ ନାହିଁ। ଏ ଉଭୟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ତେବେ ଭଣ୍ଡାରିପୋଖରୀରୁ ଆଜି ପୂର୍ବାହ୍ନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ପ୍ରାକ୍ତନ ପିସିସି ମୁଖ୍ୟ ଜୟଦେବ ଜେନା, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ନବଜ୍ୟୋତି ପଟ୍ଟନାୟକ, ବନ୍ଦିତା ପରିଡ଼ା, ବାଙ୍କନିଧି ବେହେରା, ଜିଆ ଉଲ୍ଲ ହକ୍‌, ପଦ୍ମାକର ଗୁରୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ପଦଯାତ୍ରା ବାହାରି ଭଦ୍ରକରେ ପହଞ୍ଚିଥିଲା। ଆରଡ଼ି ଛକ ଠାରେ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ସାମଲ, ଅବଦୁଲ ମୋକିଦ ଖାନ, ରାଜନ ଲାହା, ପିତବାସ ଧଳ, ଅଶ୍ରଫ ଅଲ୍ଲୀ ଖାନ, ବିଜୟ ବାରିକ, ଗୋଲକ ମହାପାତ୍ର, ଗୟାଧର ସେଠୀଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ପଦାଯାତ୍ରୀ ଦଳଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଏହି ପଦଯାତ୍ରା ମହାତାବ ଛକ, ଷ୍ଟେଟ୍ ବ୍ୟାଙ୍କ ଛକ, ଟାଉନ ହଲ ଛକ, ନୂଆବଜାର, ରାଜଘାଟ ଛକ ଦେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ପଦଯାତ୍ରୀମାନେ ବିଶ୍ରାମ ନେଇଥିଲେ। ଅପରାହ୍ନ ୩ଟା ପରେ ଏହି ପଦଯାତ୍ରା ବାଇପାସ ଛକ, ଡାହାଣିଗଡ଼ିଆ ଛକ ଓ ଚରମ୍ପା ଦେଇ ଆଗକୁ ବଢ଼ିଥିଲା। ତେବେ ଦଳର ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଅବଦୁଲ ସଲାମ, ରାଜୁ ରାୟ, ଟୋନୀ ଅଲ୍ଲୀ, ସେକ ସାହିଲ କାଦ୍ରୀ, ତନଭୀର ଖାନ, ଏନାମୁଲ ହକ୍‌, ଫେଣ୍ଟୁ ଆଲାମ, ରଂଜନ ଜେନା, ଇଲ୍ଲିୟାସ ଅଲ୍ଲୀ ଖାନ, ମିର୍ଜା ଏକ୍ରାମ ବେଗ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।