Odiapua.com

‘ନବରାଗ’ ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ସ୍ମୃତିସଭା , ପାଠାଗାର ପ୍ରତିଷ୍ଠା ଓ ନବରାଗ ପ୍ରକାଶନ ହିଁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ନବରାଗ’ର ପ୍ରତିଷ୍ଠାତା ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ସ୍ମୃତିରେ ଏକ ପାଠାଗାର ପ୍ରତିଷ୍ଠା ସହ ତାଙ୍କର ମାନସ ସନ୍ତାନ ‘ନବରାଗ’ର ପ୍ରକାଶନ ଅବ୍ୟାହତ ରହିଲେ ତାହାହିଁ ସ୍ୱର୍ଗତ ନାୟକଙ୍କ ପାଇଁ ପ୍ରକୃତ ଶ୍ରଦ୍ଦାଞ୍ଜଳି ହେବ ବୋଲି ଏକାଦଶାହ ସ୍ମୃତିସଭାରେ ମତପ୍ରକାଶ ପାଇଛି । ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ତଥା ‘ଜଗ୍‌ତଜନନୀ’ର ସମ୍ପାଦକ ସୁଧାକର ନନ୍ଦଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥପ୍ରସାଦ ଠାରେ ଅନୁଷ୍ଠିତ ସଭାରେ ବିରୋଧି ଦଳ ଉପନେତା ବିଷ୍ଣୁଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା, ‘ଶତଦ୍ରୁ’ର ସମ୍ପାଦକ ଉପେନ୍ଦ୍ର ପ୍ରସାଦ ନାୟକ, ବସନ୍ତ ମୁଦୁଲି ସାହିତ୍ୟ ସଂସଦର ଆବାହକ ଅରୁଣ ଖିଲାର, ଗ୍ରାମ୍ୟ ଜଳପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଭୟ କୁମାର ବିଶ୍ୱାଳ, ଇଂ ରାମଚନ୍ଦ୍ର ବିଶ୍ୱାଳ, ବିଜୟଲକ୍ଷ୍ମୀ ମହାପାତ୍ର, ପ୍ରାଧ୍ୟାପକ ସୁଧିର ଜେନା,ନୃସିଂହ ଚରଣ ସାମଲ, ନାରାୟଣ ମହାପାତ୍ର, ଶରତ ଜେନା, ନାରାୟଣ ଦାଶ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ‘ଶତଦ୍ରୁ’ ସମ୍ପାଦକ ଉପେନ୍ଦ୍ର ପ୍ରସାଦ ନାୟକ ଅଚ୍ୟୁତାନନ୍ଦଙ୍କ ସ୍ମୃତିରେ ଏକ ପାଠାଗାର ନିର୍ମାଣ ଓ ଇଂ ଅଭୟ ବିଶ୍ୱାଳ ପୂର୍ବଭଳି ସ୍ୱର୍ଗତ ନାୟକଙ୍କ ଧର୍ମପତ୍ନୀ ସରସ୍ୱତୀ ନାୟକଙ୍କ ପ୍ରକାଶନରେ ‘ନବରାଗ’ ପତ୍ରିକା ପ୍ରକାଶ କାର୍ଯ୍ୟ ଜାରି ରହି ସାହିତ୍ୟ ଜଗତ ପ୍ରତି ସମର୍ପିତ ରହିଲେ ତାହାହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ସ୍ୱର୍ଗତ ନାୟକଙ୍କ ସୃତିରେ ଏକ ପାଠାଗାର ପ୍ରତିଷ୍ଠା କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ସ୍ୱର୍ଗତ ନାୟକଙ୍କ ପୁଅ ମାନସ କୁମାର ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଗୀତାପାଠ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ନାୟକଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ‘ସ୍ମୃତିଅର୍ଘ୍ୟ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ ।