Odiapua.com

ନବରଙ୍ଗପୁର ଜିଲ୍ଲାର କୃଷି କ୍ଷେତ୍ରରେ ଜ୍ଞାନକୌଶଳ ଜରିଆରେ ସାମାଜିକ ଓ ଅର୍ଥନୈତିକ ଉନ୍ନତି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୮-୮ (ଓଡ଼ିଆ ପୁଅ) ନଗରଙ୍ଗପୁର ଜିଲ୍ଲାରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ଵାରା ଜିଲ୍ଲାର ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ଚଳିତ ବର୍ଷ (୨୦୧୯-୨୦) ୫.୨୧ କୋଟି ଟଙ୍କା ବିନିଯୋଗ ହେବ। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ଏବଂ ଏଥିପାଇଁ ନୂଆ ନୂଆ ଯୋଜନା ମଧ୍ୟ ହାତକୁ ନିଆଯାଇଛି। ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଏହି Multi Dimensional Pilot Project ଦ୍ୱାରା ଜିଲ୍ଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀ ମାନଙ୍କର ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ।

ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ସହିତ କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ଓ ବିକାଶ ସଂସ୍ଥା (R&D) ସହଯୋଗ କରୁଛନ୍ତି। CSIR, ICAR, ICMR, Department of Bio Technology ଅଧୀନରେ କାର୍ଯ୍ୟ କରୁଥିବା ୧୨ଟି ସଂସ୍ଥା ଏଥିରେ ସହଯୋଗ କରୁଛନ୍ତି।

ଏହି କାର୍ଯ୍ୟକ୍ରମ ଜରିଆରେ ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ଉନ୍ନତମାନର ଚାରା ଯୋଗାଣ କରାଯାଇ ବ୍ୟବସାୟିକ ନର୍ସରୀ ପ୍ରତିଷ୍ଠା, ମକା, କନ୍ଦମୂଳ, ଦେଶିଆଳୁ ଆଦି ପନିପରିବା ଚାଷ, ଲେମନ ଗ୍ରାସ ଓ ହଳଦୀ ପରି ସୁଗନ୍ଧିତ ଦ୍ରବ୍ୟ ଚାଷ ଓ ତୈଳ ଉତ୍ପାଦନ, ଅଗରବତୀ, ମଶାଧୂପ ଆଦି ଦ୍ରବ୍ୟର ଉତ୍ପାଦନ, ଶୁଖିଲା ଫୁଲରୁ ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ଉତ୍ପାଦନ, ଜୈବସାର ଉତ୍ପାଦନ, ମସ୍ୟ ଉତ୍ପାଦନ, ଜଳ ଅମଳ ପ୍ରକଳ୍ପ, ବାଡିବଗିଚାରେ ପନିପରିବା ସହିତ କୁକୁଡା ଓ ମତ୍ସ୍ୟ ଚାଷ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହିସବୁ କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳର ଉପଯୋଗ କ୍ଷେତ୍ରରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ। କୃଷି ସହିତ ସ୍ୱାସ୍ଥ୍ୟ ଓ ପୁଷ୍ଟି ନିରାକରଣ, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ। ନବରଙ୍ଗପୁରରେ ସାଂସଦ, ବିଧାୟକ ଓ ଚାଷୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨ ଜଣ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।