ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଂରାଜୀ ନବବର୍ଷରେ ଶୁଭ ମନାସିବା ପାଇଁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭୋର ୪ଟାରୁ ଲାଗିଥିଲା ଭକ୍ତଙ୍କ ଭିଡ। ଲକ୍ଷାଧିକ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ବାବାଙ୍କୁ ନବବସ୍ତ୍ର ଓ ଫୁଲ ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟ ଭୋଗ ଓ ଭଡା ଅନ୍ନନୀତି ଭୋଗ ଲାଗି କରାଯାଇଥିଲା। ଭକ୍ତମାନଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସକାଳ ୫ଟାରୁ ରାତ୍ର ୧୦ଟା ଯାଏଁ ସାହାଣ ମେଲା କରାଯାଇଥିଲା। ଅନ୍ୟପଟେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା। ସେହିପରି ସ୍ଥଳପଥ ଓ ଜଳପଥରେ ଭକ୍ତମାନଙ୍କର ସୁଗମ ଯାତାୟାତ ନିମନ୍ତେ ଟ୍ରାଫିକ ପୁଲିସ ସହ ଅଗ୍ନିଶମ ବାହିନୀ ଓ ଫୋର୍ସ ମୃତୟନ କରାଯାଇଥିଲା। ତାହା ସହ ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ଯେପରି ଗହଳି ନହେବ ସେଥିପାଇଁ କୁଳେଇପଦା – ଆରଡି ରାସ୍ତା ଦେଇ ପୀଠକୁ ସମସ୍ତ ଯାତ୍ରୀବାହି ୪ଚକିଆ ଯାନ ଆସିଥିଲା। ମନ୍ଦିର ଭିତର ବେଢା଼ରେ ଚାନ୍ଦବାଲି ତହସିଲିଦାର ଭ୍ୱତୋଷ ମଲିକ, ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ, ଧୁଷୁରୀ ଥାନା ଅଧିକାରୀ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିର ତଦାରଖ କରିଥିଲେ। ଏଥିସହ ପାଳସାହିସ୍ଥିତ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ଦାଶଙ୍କ ପରିଚାଳନାରେ ଶତାଧିକ ଛାତ୍ରଛାତ୍ରୀ ଭକ୍ତମାନଙ୍କୁ ଧାଡି ଦର୍ଶନରେ ସହାୟତା ଯୋଗାଇବା ସହ ସଫେଇ କାର୍ଯ୍ୟ କରିଥିଲେ। ମନ୍ଦିରର ନୀତିନୀର୍ଘଂଟ ଅନୁଯାୟୀ ମଧ୍ୟାହ୍ନ ୨ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ବାବାଙ୍କୁ ଯୋଗୀ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତିଭୋଗ ଲାଗି କରାଯାଇ ୧ଘଂଟା ଶୟନ(ଅବକାଶ)ନୀତି କରାଯାଇଥିଲା। ପରେ ଅପରାହ୍ନ ୪ଟାରେ ବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯାଇଥିଲା।