Odiapua.com

ନବବଧୂକୁ ନିର୍ଯ୍ୟାତନା ଅଭିଯୋଗ

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଦେଓପଦା ଗ୍ରାମର ଗୀତାରାଣୀ ରାଉତ ଓରଫ ସ୍ୱାଇଁଙ୍କୁ ସ୍ୱାମୀ ପ୍ରମୋଦ କୁମାର ରାଉତ, ଶାଶୁ ଅନୁପମା, ବଡଯାଆ ପୂର୍ଣ୍ଣିମା ମିଳିତ ଭାବେ ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ଅଭିଯୋଗ ହୋଇଛି । କେଉଁଝର ଜିଲ୍ଲା ନନ୍ଦିପଦା ଥାନା ବାହାରିପୁର ଗାମର ନାରାୟଣ ସ୍ୱାଇଁଙ୍କ ଝିଅ ଗୀତାରାଣୀ ଗତ ଜୁଲାଇ ମାସ ୧୪ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ନଗଦ ଲକ୍ଷେକୋଡିଏ ହଜାର ଟଙ୍କା, ସୁନା ଓ ରୂପା ଗହଣା, ବୈଦୁତିକ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଯୌତୁକ କନ୍ୟାପିତା ବରକୁ ଦେଇଥିଲେ । ବିବାହ ସାତ ଦିନରେ ଗିତାରାଣୀଙ୍କ ଉପରେ ଅଧିକ ଯୌତୁକ ପାଇଁ ଆକ୍ରମଣ କରାଯାଇଥିଲା । ଭାଉଜ ସହ ଅନୈତିକ ସମ୍ପର୍କ ଯୋଗୁଁ ପ୍ରମୋଦ ଗିତାରାଣୀକୁ ଅଧିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏପରିକି ନିର୍ଯ୍ୟାତନା ସମ୍ପର୍କରେ କନ୍ୟାପିତାଙ୍କ ପକ୍ଷରୁ ବହୁବାର ବୁଝାମଣା ଉଦ୍ୟମ ବିଫଳ ମଧ୍ୟ ହୋଇଛି । ଗୀତାରାଣୀକୁ ସ୍ୱାମୀ, ଶାଶୁ ଓ ବଡଯାଆ ମୁହଁରେ ତକିଆ ପକାଇ ମାରିଦେବାକୁ ଉଦ୍ୟମ କରୁଥିଲେ । ସେ ଚିତ୍କାର କରିବାକୁ ଛାଡିଦେଲେ ବୋଲି ଥାନାରେ ଅଭିଯୋଗ କରିବା ସହ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ମାତ୍ର ମାମଲା ଋଜୁ ହୋଇନାହିଁ ।