Odiapua.com

ନବନିର୍ମାଣ କୃଷକ ସଂଗଠନ ନେତୃତ୍ୱରେ ଧାନବିକ୍ରିରୁ ବଂଚିତ ଚାଷୀଙ୍କ ଆମରଣ ଅନଶନ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାନ ବିକ୍ରି ଦିଗରେ ପାତର ଅନ୍ତର ନୀତି ଗ୍ରହଣ ପୂର୍ବକ ଚାଷୀମାନଙ୍କ ନାମ ପଂଜିକରଣ ସତ୍ୱେ ସେଥିରୁ ବଂଚିତ ହେବା ପ୍ରତିବାଦରେ ଭଦ୍ରକ ଜିଲାର ବହୁ ଚାଷୀ ନବ ନିର୍ମାଣ କୃଷକ ସଂଗଠନ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ବିଶେଷ କରି କାଉପୁର ଅଂଚଳର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ଗଦାଧର ବିଶ୍ୱାଳଙ୍କ ପୁତ୍ର ଗୋକୁଳାନନ୍ଦ ୨୦୨୦-୨୧ ଆର୍ଥିକ ବର୍ଷରେ ଧାନ ବିକ୍ରି କରିବା ପାଇଁ ନାମ ପଂଜିକରଣ କରିଥିବା ସତ୍ୱେ କାଉପୁରର ଜିପିଏଲ୍‌ଏଫ୍‌ଏସ ସେକ୍ରେଟାରୀଙ୍କ ଚଂଚକତା କାରଣରୁ ଦୁଇଟି ଯାକ ଟୋକନରେ ଧାନ ଦେବାରୁ ବଂଚିତ ହୋଇଥିଲେ । ସେ ଏ ବିଷୟରେ ସିଏସ୍‌ଓଙ୍କୁ ରେଜେଷ୍ଟ୍ରି ଡାକ ଯୋଗେ ଜଣାଇ କୌଣସି ଉତ୍ତର ନପାଇବାରୁ ସୂଚନା ଅଧିକାର ମୂଳେ କେତେକ ତଥ୍ୟ ମାଗିଥିଲେ । ମାତ୍ର ଏହି ବିଭାଗର ପିଆଇଓ ତାଙ୍କର ପ୍ରଶ୍ନର ଉତ୍ତର ଦେଇପାରିନଥିଲେ । ଏ ବିଷୟରେ ବାରମ୍ବାର ରେଜେଷ୍ଟ୍ରି ଡାକ ଯୋଗେ ଜଣାଇବା ପରେ ସେ ଯେଉଁ ତଥ୍ୟ ଦେଲେ ତାହା ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଥିଲା । ତେଣୁ ସେ ଏ ବିଷୟରେ ବାଧ୍ୟହୋଇ ଜିଲାପାଳ, ଭିଜିଲାନ୍ସ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ରେଜେଷ୍ଟ୍ରି ଡାକ ଯୋଗେ ଅବଗତ କରାଇଥିଲେ । ଦୀର୍ଘଦିନ ଧରି ସେ କୌଣସି ଉତ୍ତର ନପାଇବାରୁ ସହକାରୀ ନିବନ୍ଧକଙ୍କୁ ଭେଟିବା ପରେ ସେ ଏହାର ତଦନ୍ତ ୧୫ ଦିନ ମଧ୍ୟରେ ଦେବାକୁ ମିଶନ ଶକ୍ତିର ଡିପିସିଙ୍କୁ ଦାୟିତ୍ୱ ଦିଆଯାଇଥିବାର କହିଥିଲେ । ତାଙ୍କ ନିର୍ଦ୍ଦେଶ ମୂଳେ ଗୋକୁଳାନନ୍ଦ ଡିପିସିଙ୍କ ଅଫିସ୍‌କୁ ଯାଇ ସେ ଅନୁପସ୍ଥିତ ଥିବା ଜାଣି ଯେଉଁ କର୍ମଚାରୀଙ୍କୁ ତାହା ଦେଲେ ସେ ଏ ବିଷୟରେ ତଦନ୍ତ ହେବ ବୋଲି କହିଥିଲେ ।

ମାତ୍ର ଏପର୍ଯ୍ୟନ୍ତ ସେ ଡିପିସିଙ୍କ ଠାରୁ ତଦନ୍ତ ବାବଦ କୌଣସି ନୋଟିସ୍ କିମ୍ବା ଫୋନ୍ କଲ୍ ନପାଇବାରୁ ବାଧ୍ୟହୋଇ ଜିଲାପାଳଙ୍କୁ ଅବଗତ କରାଇଥିଲେ । ମାତ୍ର ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରି କାଉପୁରର ସଂପୃକ୍ତ ଦୁର୍ନୀତିଗସ୍ତ ସଂପାଦକଙ୍କୁ ଚଳିତବର୍ଷ ଧାନ କ୍ରୟ ଭାର ଦେବାରୁ ସେ ବାଧ୍ୟହୋଇ ନିଜେ ନ୍ୟାୟ ପାଇବା ସହ ସଂପୃକ୍ତ ସଂପାଦକଙ୍କ ବିରୁଦ୍ଧରେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କର କ୍ଷତିପୂରଣ ଦେବା ଦାବିରେ ଏହି ଆମରଣ ଅନଶନର ନିଷ୍ପତ୍ତି ନେଇଥିଲେ । ତେବେ କେବଳ ଗୋକୁଳାନନ୍ଦ ନୁହଁନ୍ତି ଏହିଭଳି ବିଭିନ୍ନ ବ୍ଲକ୍‌ର ବହୁ ଚାଷୀ ଧାନବିକ୍ରୟରୁ ବଂଚିତ ହୋଇ ତାଙ୍କ ସହ ଅନଶନରେ ସାମିଲ ହୋଇଥିଲେ । ଏଥିରେ ନବନିର୍ମାଣ କୃଷକ ସଂଗଠନର ଜିଲା ସଂଯୋଜକ ତ୍ରିଲୋଚନ ପଣ୍ଡା, ସହ ସଂଯୋଜକ ସତ୍ୟନାରାୟଣ ନାୟକ, ଧାମନଗର ସଂଯୋଜକ ପୀତବାସ ମହାନ୍ତି, ତିହିଡି ସଂଯୋଜକ ଗଗନ ବିହାରୀ ମହାନ୍ତି, ଭଣ୍ଡାରିପୋଖରୀ ବି. ସାମଲ, ଚାନ୍ଦବାଲିର କୃଷ୍ଣଚନ୍ଦ୍ର ବିଶ୍ୱାଳ, ବାସୁଦେବପୁରର ଭରତ ମିଶ୍ର, ବନ୍ତର ସୁରେଶ ମଲ୍ଲିକ, ଭଦ୍ରକ ବ୍ଲକ୍‌ର ସୀତାକାନ୍ତ ସାହୁ ପ୍ରମୁଖ ବହୁ ଚାଷୀ ସାମିଲ ହୋଇଥିଲେ । ଅନଶନ ସ୍ଥଳକୁ ବିଜେପି ନେତା ଅଭିମନ୍ୟୁ ସେଠୀ ଓ ପୂର୍ବତନ କାଉନ୍‌ସିଲର ଶରତ ପଢିଆରୀ ଯାଇ ସେମାନଙ୍କ କଥା ପଚାରି ବୁଝିଥିଲେ । ପରବର୍ତ୍ତୀ ସମୟରେ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ୍‌, ସହକାରୀ ନିବନ୍ଧକ ବିକାଶ ଚନ୍ଦ୍ର ନାୟକ, ଏସ୍‌ସିଏସ୍‌ଓ ଶରତ ବେହେରା ପ୍ରମୁଖ ଅନଶନକାରୀଙ୍କ ନିକଟରେ ପହଞ୍ôଚ ବଂଚିତ ହୋଇଥିବା ଚାଷୀମାନେ ସେମାନଙ୍କର ଚିଠା ଦେବାପରେ ତାହାର ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହା ପ୍ରତ୍ୟାହୃତ ହୋଇଥିଲା ।