Odiapua.com

ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଜାନୁଆରୀ ୧୭ (ଓଡ଼ିଆ ପୁଅ) – ଓଡିଶା ବିଜେପି ଶାଖାର ନବନିଯୁକ୍ତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ ବୋଲି ତାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନ ବିସ୍ତାର, ଜନସ୍ୱାର୍ଥରେ ଆନ୍ଦୋଳନ ଓ ଏଥିପାଇଁ ଜନ ବିଶ୍ୱାସ ପ୍ରାପ୍ତ କରିବାରେ ବହୁମାତ୍ରାରେ ସଫଳ ହୋଇଛି। ଗତ ନିର୍ବାଚନରେ ଦଳ ଲୋକସଭାରେ ୩୮ ପ୍ରତିଶତ ଓ ବିଧାନସଭାରେ ୩୨ ପ୍ରତିଶତ ଭୋଟ ହାସଲ କରିଛି। ଦଳ ୮ ଲୋକସଭା ଆସନରେ ବିଜୟ ଲାଭ କରିଛି। ଯେଉଁ କାରଣରୁ ଦିଲ୍ଲୀ ଦରବାରରେ ମୋଦି ଶାସନରେ ଓଡିଶାର ସ୍ୱରକୁ ଦଳୀୟ ସାଂସଦ ମାନେ ପ୍ରଭାବଶାଳୀ ଢଙ୍ଗରେ ଉଠାଇପାରୁଛନ୍ତି।

ଓଡିଶାକୁ ଭାରତବର୍ଷରେ ୧ ନମ୍ବର ରାଜ୍ୟ କରିବାକୁ ପଡିବ। ଏହି ଦୃଢତା ଓ ସଂକଳ୍ପ ବିଜେପିର କାର୍ଯ୍ୟକର୍ତାଙ୍କୁ ନେବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ସରକାର ଗଢିବା କିମ୍ବା ଲୋକସଭା ଆସନରେ ବିଜୟ ପାଇଁ ନୁହେଁ ବରଂ ଦୀର୍ଘ ୭୦ ବର୍ଷ ଧରି ଓଡିଆ ଲୋକ ଯେଉଁ ନିଜ ହକ୍‌ରୁ ବଂଚିତ ଅଛି ତାହାକୁ ବିଜେପି ପ୍ରଶାସନ ଓ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ପ୍ରୟାସ କରୁଛି। ବିଜେପିକୁ ୩୭ ହଜାର ବୁଥରେ ମଜବୁତ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ କାର୍ଯ୍ୟକାରୀ ସଭାପତି ଜଗତପ୍ରସାଦ ନଡ୍ଡାଙ୍କ ବାର୍ତ୍ତାକୁ ଜନସାଧାରଣଙ୍କ ପାଖରେ ପହଁଚାଇବାକୁ ପଡିବ। ରାଜ୍ୟରେ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବାକୁ ହେବ ଶ୍ରୀ ପ୍ରଧାନ କହିଛନ୍ତି।

ଯଦି କେହି ଭାବୁଥିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ କାଟି କେବଳ ଆବାସ ଯୋଜନା କରିବୁ ତେବେ ଦଳର ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ସେ ଦିବାସ୍ୱପ୍ନକୁ ବିଜେପି ବିଧାନସଭା ଭିତରେ ଏବଂ ବାହାରେ ଏବଂ ଦିଲ୍ଲୀର ଲୋକସଭା ଓ ରାଜ୍ୟସଭାର ଗୃହରେ ମଧ୍ୟ ବିରୋଧ କରିବ। ଏ ପ୍ରକାର ଅପେକ୍ଷା ଓ ଦୃଢତା ବିଜେପି ପାଖରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ଦେଶ, ରାଜ୍ୟ, ଜିଲ୍ଲା, ବିଭିନ୍ନ ମଣ୍ଡଳ ଏବଂ ବୁଥରେ କଥାକଥିତ ଧାରଣାକୁ ବଦଳାଇ ଧୀରେଧୀରେ ଏକ ସଶକ୍ତ ରାଜନୈତିକ ସଂଗଠନ ଭାବେ ନିଜକୁ ଗଢିବାର ପ୍ରୟାସ ଜାରୀ ରଖିଛି ବୋଲି ସେ କହିଛନ୍ତି।