Odiapua.com

ନବନିଯୁକ୍ତ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟ ପାଇଁ ମନୋନୀତ ହୋଇଥିବା ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀଙ୍କୁ ଆଜି ବାଲେଶ୍ୱର ଲୟାର୍ସ ଫୋରମ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଇନଜୀବୀ ଲମ୍ବୋଦର ନାୟକଙ୍କ ଆବାହକତ୍ୱରେ ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ରାଇମୋହନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଉପସ୍ଥିତ ବାଲେଶ୍ୱରର ଆଇନଜୀବୀମାନେ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଶ୍ରୀ ପାଢ଼ୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ତାଙ୍କୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଭାବେ କେନ୍ଦ୍ର ସରକାର ଚୟନ କରିବା ବାଲେଶ୍ୱର ମାଟି ପାଇଁ ଗୌରବର ବିଷୟ ବୋଲି ଆଇନଜୀବୀମାନେ ମତ ପ୍ରକାଶ କରିଥିଲେ। ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ପାଢ଼ୀ ସନ୍ତୋଷ ପ୍ରକାଶ ସହ ବାଲେଶ୍ୱର ଲୟାର୍ସ ଫୋରମର ମହନୀୟତାକୁ ଭୂୟସୀ ପ୍ରଶଂସା କରିଥିଲେ। ସୁକାନ୍ତ କୁମାର ନାୟକ, ବୈଲୋଚନ ଦାଶ, ସିଦ୍ଧାର୍ଥ କମିଳା, ରବୀନ ଦାସ, ଗଣେଶ୍ୱର ରାଉତ, ସତ୍ୟରଂଜନ ବେହେରା ପ୍ରମୁଖଙ୍କ ସମେତ ବହୁ ଆଇନଜୀବୀ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।