Odiapua.com

ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସରେ‘ମୋନା’ର ଆଲୋଚନାଚକ୍ର

ବାଲେଶ୍ୱର, ୨୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) :: ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’(ମୋନା), ବାଲେଶ୍ୱର ଶାଖା ପକ୍ଷରୁ ଓଡ଼ିଶାର ମହାନ ଜନନାୟକ ତଥା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ୩୭ତମ ଶ୍ରାଦ୍ଧବାର୍ଷିକ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ‘ନବକୃଷ୍ଣ ଚୌଧୁରୀ ଓ ସାଂବିଧାନିକ ସଂଗଠନ’ଶୀର୍ଷକ ଆଲୋଚନାଚକ୍ରରେ ବରିଷ୍ଠ ଏଡ୍‌ଭୋକେଟ୍ ପ୍ରଭାକର ସାହୁ ସଭାପତିତ୍ୱ କରିଥିଲେ। ସାଧାରଣ ସଂପାଦିକା ମମତା ମହାପାତ୍ର ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆସନ୍ତା ୨୬ତାରିଖ ଦିନ ‘ଅର୍ନ୍ତରାଷ୍ଟ୍ରୀୟ ନିଶା ସେବନ ନିରୋଧ ଦିବସ’ରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡ- ଶିରୀଶଚନ୍ଦ୍ର ଜେନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ବିଧାନ ସଭାରେ ଜନସ୍ୱାର୍ଥ ପାଇଁ କିପରି ପ୍ରଥମେ ଓଡ଼ିଆକୁ ସରକାରୀ ଭାଷା କରିବା ଓ ନିଶା ନିବାରଣ ଆଇନ୍ ପ୍ରଣୟନ ସାଙ୍ଗକୁ କୃଷକମାନଙ୍କ ପାଇଁ ଭୂ- ସଂସ୍କାର ଆଣିଥିଲେ ବୋଲି ବର୍ଣ୍ଣନା କରି ତାଙ୍କ ବ୍ୟକ୍ତିତ୍ୱ ସମଗ୍ର ଭାରତରେ ଅତୁଳନୀୟ ବୋଲି ଅଭିହିତ କରିଥିଲେ। ଅନ୍ୟତମ ବକ୍ତା ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ୱର ବହୁମୁଖି ଦିଗ ଉପରେ ଆଲୋକପାତ କରି ତାଙ୍କ ଭଳି ଜଣେ ଯୁଗଜନ୍ମା ଦୁର୍ଲଭ ପୁରୁଷ ସମଗ୍ର ମଣିଷ ଜାତି ପାଇଁ ଗର୍ବ ଓ ଗୌରବ ବୋଲି ବର୍ଣ୍ଣନା କରିଥିଲେ। ଉପଦେଷ୍ଟା ସୁବ୍ରତ କର ଆଲୋଚନାଚକ୍ରର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବୈଠକରେ ଡ- କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଗୀତାଞ୍ଜଳି ସିଂହ, ବସନ୍ତ ପ୍ରଧାନ, ରମେଶଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ସୀତାନାଥ ଦାସ, ହେମଲତା ଦାସ, ନିରଞ୍ଜନ ପରିଡ଼ା, ନିରଞ୍ଜନ ରାଉତ୍‌, ଡାକ୍ତର ତାରାକାନ୍ତ ନନ୍ଦ, ପୂର୍ଣ୍ଣଚନ୍ଦ୍ର ବେହେରା, କମଳାକାନ୍ତ ଦାଶ, ସୀତାରାମ ପ୍ରଧାନ, କୁମୁନ୍ଦରଞ୍ଜନ ଗିରି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ।