Odiapua.com

ନନ୍ଦ ସାର ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) ପଦ୍ମଶ୍ରୀ ନନ୍ଦ ସାରଙ୍କର ୧୦୪ ବର୍ଷ ବୟସରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଗତ କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ୟାଜପୁର ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। କୌଣସି ପାରିଶ୍ରମିକ ନନେଇ ନନ୍ଦସାର୍ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁରେ ୭୫ ବର୍ଷ ହେଲାଣି ଗାଁ ଛୁଆଙ୍କୁ ପାଠପଢ଼ାଇ ଆସୁଥିଲେ।

କିଛିଦିନ ପୂର୍ବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ।

ଆଜି ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଶୋକ ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତିଯେ, “ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । ଗତ କିଛି ସପ୍ତାହ ପୂର୍ବରୁ ଆୟୋଜିତ ପଦ୍ମ ପୁରସ୍କାର ସମାରୋହରେ ସେ ଦେଶର ଦୃଷ୍ଟି ଆକର୍ଷଣ କରିବା ସହ ଦେଶବାସୀଙ୍କ ଶ୍ରଦ୍ଧାର ପାତ୍ର ହୋଇଥିଲେ । ଓଁ ଶାନ୍ତି”