Odiapua.com

ନନ୍ଦନକାନନ ଏକ୍ସପ୍ରେସରୁ ୪୮.୪କେଜି ଗଞ୍ଜେଇ ଜବତ, ମହିଳା ଗିରଫ୍

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ପୁରୀ ରୁ ନୂଆଦିଲ୍ଲୀ ର ଆନନ୍ଦବିହାର ଅଭିମୁଖେ ଯାଉଥିବା ୧୨୮୧୫ ନନ୍ଦନକାନନ ଏକ୍ସପ୍ରେସ୍ ଟ୍ରେନରୁ ସରକାରୀ ରେଳବାଇ ଥାନାର ସ୍ୱତନ୍ତ୍ର ସ୍କ୍ୱାର୍ଡଟିମ୍ ଓ ଭଦ୍ରକ ରେଳବାଇ ପୋଲିସଙ୍କ ମିଳିତ ଉଦ୍ୟମରେ ୪୮.୪ କେଜି ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ସାଢେ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ସୂଚନାରୁ ଜଣାଯାଇଛି । ଉତର ପ୍ରଦେଶର ହାପ୍‌ରସ୍ ଜିଲ୍ଲାର ସଦାବାଗ ଅଂଚଳର ମହିଳା ରେଖା ଦେବୀ(୪୦) ୪ଟି ଟ୍ରଲି ବ୍ୟାଗରେ ଗଂଜେଇ ଭୁବନେଶ୍ୱର ଷ୍ଟେସନରୁ ନେଇ ସାସାରାମ ଯାଉଥିବା ବେଳେ ରେଳବାଇ ଥାନା ସ୍କ୍ୱାର୍ଡ ଟିମ୍ ଖବର ପାଇ ତାଙ୍କୁ ପିଛା କରିଥିଲା । ଗତ କାଲି ମଧ୍ୟାହ୍ନ ୨ଟା ୪୦ସମୟରେ ଭଦ୍ରକ ରେଳଷ୍ଟେସନ ଠାରେ ନନ୍ଦନକାନ୍ଦନ ଏକ୍ସପ୍ରେସ୍‌ରୁ ଅଚାନକ ଚଢାଉ କରି ଗଂଜେଇ ବ୍ୟାଗ ସହ ଅଭିଯୁକ୍ତା ରେଖାଙ୍କୁ ଗିରଫ କରାଯାଇଥିଲା । ଘଟଣାରେ ଭଦ୍ରକ ରେଳବାଇ ପୋଲିସ ଏକଜ୍ୟୁକୁଟିଭ୍ ମାଜିଷ୍ଟ୍ରେଟ ଜୟନ୍ତ କୁମାର ସୋରେନ୍‌ଙ୍କ ଉପସ୍ଥିତିରେ ଉକ୍ତ ଗଂଜେଇକୁ ଜବତ କରିବା ସହ ଏକ ମାମଲା(ନଂ-୩୦/୨୫)ରୁଜୁ କରି ଆଜି ରେଖାଙ୍କୁ କୋର୍ଟଚାଲାଣ କରିଛନ୍ତି । ଏହି ଚଢାଉରେ ରେଳବାଇ ଥାନାର ସବ୍ ଇନ୍ସପେକ୍ଟର ପପୁ କୁମାର ନାୟକ, ହାବିଲଦାର ସଞ୍ଜୟ କୁମାର ମହାପାତ୍ର, କନେଷ୍ଟବଳ ବଳରାମ ନାୟକ, ଉମାଶଙ୍କର ମଲ୍‌କା, ଜଗା ରାଓ ଜାମ୍‌କା ପ୍ରମୁଖ ସାମିଲ ଥିଲେ ।