Odiapua.com

ନଦୀ ଗର୍ଭକୁ ଧସିଲା ନାଳିଆ କୂଳ ବନ୍ଧ,ରାଜୁଆଳିବିନ୍ଧା ସ୍କୁଲ ନିକଟରେ ୭୫ ଫୁଟ ଧସିଲା

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀର ଶାଖା ନାଳିଆ ନଦୀର କୂଳ ବନ୍ଧ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତସ୍ଥିତ ରାଜୁଆଳି ବିନ୍ଧା ଠାରେ ଧସି ଯାଇଛି।ରାଜୁଆଳି ବିନ୍ଧା ସ୍କୁଲ ସମ୍ମୁଖରେ ଏଭଳି ଅଘଟଣ ଘଟିଛି।ଗତ ମାସ ଏକାଧିକବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସାଳନ୍ଦୀର ଶାଖା ନାଳିଆ ଭଦ୍ରକ ତିହିଡି ଏବଂ ଧାମନଗର ଅଂଚଳକୁ ପ୍ରଭାବିତ କରିଥିଲା।ଏବେ ବନ୍ୟା ପରିସ୍ଥିତି ନାହିଁ।ନଦୀର ଜଳସ୍ତର ବହୁତ କମ ରହିଛି।ଏତିକିବେଳେ ଅର୍ଣ୍ଣପାଳ ରାଜୁଆଳି ବିନ୍ଧା ବିଦ୍ୟାଳୟ ସାମ୍ନାରେ ନାଳିଆ ନଦୀର ବାମ ପାର୍ଶ୍ୱ କୂଳ ବନ୍ଧ ଗତକାଲି ପାଖାପାଖି ୭୫ ଫୁଟ ଲମ୍ବରେ ଧସି ଯାଇଛି।ନିକଟ ଭବିଷ୍ୟତରେ ଏକାଧିକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଭହଠାତ ନଦୀ ବନ୍ଧରେ ଭୂସ୍ଖଳନ ଘଟିବା ଘଟଣା ରାଜୁଆଳି ବିନ୍ଧାର ଦୁଇ ଶହରୁ ଅଧିକ ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି।ନାଳିଆ ନଦୀର ବାମ ପାର୍ଶ୍ୱ କୂଳ ବନ୍ଧ ମୁଖ୍ୟ ଗମନାଗମନ ପଥ ଭାବେ ଅର୍ଣ୍ଣପାଳ ଏବଂ ତିହିଡି ବ୍ଳକର ତଳ ଗୋପବିନ୍ଧା ପଞ୍ଚାୟତ ର ଲୋକମାନେ ବ୍ୟବହାର କରି ଆସୁଛନ୍ତି।ଏଭଳି ଘଟଣା ପରେ ଯାତାୟାତ କେତେକାଂଶରେ ବାଧାପ୍ରାପ୍ତ ହୋଇଛି।ଦୁଇ ଦିନ ଧରି ଏହି ରାସ୍ତା ଦେଇ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ଯିବା ମୁଖ୍ୟତଃ ପ୍ରଭାବିତ ହୋଇଛି।ଘଟଣା ପରେ ସାଳନ୍ଦୀ ଜଳସମ୍ପଦ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ବେହେରା କନିଷ୍ଠ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ନଦୀ ବନ୍ଧ ଧସିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଯୁଦ୍ଧକାଳୀନ ଭିତିରେ ଏହାର ମରାମତି କରିବା ପାଇଁ ପଦକ୍ଷେପ ନେଇଥିବା ଜଣାଯାଇଛି।ଅର୍ଣ୍ଣପାଳ ଅଞ୍ଚଳର ସାମାଜିକ କର୍ମୀ ଆଦିକନ୍ଦ ନାୟକ ବିନୋଦ ନାୟକ ପ୍ରମୁଖ ଜଳସମ୍ପଦ ଅଧିକାରୀଙ୍କ ପରିଦର୍ଶନ ବେଳେ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଶନିବାର ବନ୍ଧ ମରାମତି କାର୍ଯ୍ୟ ପାଇଁ ବାଲି ବସ୍ତା ପହଞ୍ଚିଛି ଏବଂ ଆସନ୍ତାକାଲି ବଲ୍ଲହା ପହଂଚିବ ବୋଲି ଜଣାପଡ଼ିଛି।