Odiapua.com

ନଦୀରେ ଭାସିଯାଇଥିବା ଯୁବକର ମୃତଦେହ ଉଦ୍ଧାର କଲା ଏନ୍‌ଡିଆରଏଫ୍

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଗତମାଲି ମା’ ଦୁର୍ଗାଙ୍କ ଭସାଣି ସମୟରେ ନଦୀରେ ଭାସିଯାଇଥିବା ଯୁବକର ମୃତଦେହ ଆଜି ଉଦ୍ଧାର କରିଛି ଏନଡିଆରଏଫ୍। ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ଜାନୁଗଞ୍ଜର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମା’ଙ୍କୁ ଜାନୁଗଞ୍ଜରୁ ବାଉଦପୁରସ୍ଥିତ ସାଳନ୍ଦୀ ନଦୀଘାଟକୁ ଆଣି ବିସର୍ଜିତ କରାଯାଇଥିଲା। ଏହି ବିସର୍ଜନ ସମୟରେ ଦୁଇ ଯୁବକ ସାଳନ୍ଦୀ ନଦୀରେ ଭାସିଯାଇଥିଲେ। ଜଣକୁ ଏକ କିଲୋମିଟର ଭାସିଯିବାପରେ ତାକୁ ଉଦ୍ଧାର କରାଯାଇ ତୁରନ୍ତ ଭଦ୍ରକ ମେଡିକାଲ ପଠାଯାଇ ଚିକିତ୍ସିତ କରାଯାଇଥିଲା। ଏବଂ ଅନ୍ୟଜଣକୁ ସ୍ଥାନୀୟ ଲୋକେ ପାଇନଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଖୋଜାଖୋଜି ସମ୍ଭବପର ହୋଇପାରିନଥିଲା। ଆଜି ସକାଳୁ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକର କୌଣସି ସନ୍ଧାନ ପାଇନଥିଲେ। ଆଜି ଦିନ ୩ଟା ବେଳେ ବାଲେଶ୍ୱରରୁ ୨୧ ଜଣିଆ ଏନଡିଆରଏଫ୍ ଟିମ୍ ଆସି ଖୋଜାଖୋଜି କରି ସନ୍ଧ୍ୟା ୫ଟାରେ ସାଳନ୍ଦୀ ନଦୀର ଦଳ ଭିତରୁ ଯୁବକର ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ହେଲେ ସ୍ଥାନୀୟ ଜାନୁଗଞ୍ଜ ଅଂଚଳର କାଳନ୍ଦୀ ସାହୁଙ୍କ +୨ ପଢୁଥିବା ୧୭ ବର୍ଷର ପୁତ୍ର ରାମାନନ୍ଦ। ରାମାନନ୍ଦଙ୍କର ମୃତଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରାମାନନ୍ଦର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଯାଇଥିବାର ଜଣାପଡିଛି।