Odiapua.com

ନଦୀରେ ବୁଡି ଯୁବକ ମୃତ

ପାଳଲହଡ଼ା,୮/୧0(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡ଼ାର ଦରେଇକିଳା ଗାଁରେ ଏକ ଅଘଟଣ ଘଟିଯାଇଛି l ପାଳଲହଡା ଟାଉନଠାରୁ ମାତ୍ର ଦୁଇ କିଲୋମିଟର ଦୂର ଦରେଇକିଳା ଗାଁରେ ମାଙ୍କଡା ନଦୀକୁ ଗାଧୋଇ ଯାଇଥିବା ବେଳେ ଜଣେ ଆଦିବାସୀ ଯୁବକର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ପାଳଲହଡା ବ୍ଲକ ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ ଦରେଇକିଳା ଗାଁର ୪୫ ବର୍ଷୀୟ ଯୁବକ ଲକ୍ଷ୍ମଣ ପିଙ୍ଗୁଆ ନିଜ ପୁଅ ସହିତ ଅପରାହ୍ନ ଗୋଟାଏ ବେଳେ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣରୁ ଗଭୀର ପାଣିରେ ବୁଡି ଯାଇଥିଲେ ,ବହୁତ ସମୟ ପର୍ଯ୍ୟନ୍ତ ପାଣିରୁ ନବାହାରିବାରୁ ତାଙ୍କ ପୁଅ ଘରକୁ ଆସି ଜଣାଇଥିଲେ । ଗାଁ ଲୋକଙ୍କ ଉଦ୍ୟମରେ ବହୁ ଖୋଜାଖୋଜି ପରେ ମଧ୍ୟ ଲକ୍ଷ୍ମଣ ନମିଳିବାରୁ ଶେଷରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗଭୀର ପାଣିରେ ବହୁ ଖୋଜାଖୋଜି ପରେ ଲକ୍ଷଣ ପିଙ୍ଗୁଆର ମୃତ ଦେହ ଉଦ୍ଧାର କରିଥିଲେ । ଶେଷରେ ତାର ମୃତ ଦେହକୁ ଅଗ୍ନିଶମ ବିଭାଗ ପାଳଲହଡା ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଆଣିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ସହ ଲକ୍ଷଣ ପିଙ୍ଗୁଆର ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣା ପଡିଛି ।ଯୁବକର ମୃତ୍ୟୁରେ ଦରେଇକିଳା ଗାଁରେ ଶୋକର ଛାୟା ଖେଳିଯାଇଛି।