Odiapua.com

ନଦୀବନ୍ଧ ରାସ୍ତା ଜବରଦଖଲ ଯୋଗୁଁ ଜାତାୟତରେ ଘୋର ଅସୁବିଧା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା ୨୪/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ୫ନମ୍ବର(କ) ଜାତୀୟ ରାଜପଥର ମଙ୍ଗଳାଛକ ଠାରୁ ତାଳସଙ୍ଗା ଛକ ପର୍ଯ୍ୟନ୍ତ ଯାଇଥିବା ଜଳସେଚନ ବିଭାଗର ଲୁଣାନଦୀବନ୍ଧ ରାସ୍ତାଟି ଗମନାଗମନ ପାଇଁ ଓ ବନ୍ୟାରୁ ରକ୍ଷା ନିମନ୍ତେ ନିର୍ମାଣ କରାଯାଇଛି। ଗତ ୨୦୧୭-୧୮ ଆର୍ଥିକବର୍ଷରେ ଏହି ନଦୀବନ୍ଧଟିକୁ ଉଚ୍ଚ କରାଯିବା ସହ ପ୍ରସସ୍ତିକରଣ କରାଯାଇଛି। ଏହି ନଦୀବନ୍ଧ ରାସ୍ତା ଉପରେ ମେଟାଲ ମୋରମ ପକାଯିବା ପରେ ପରବର୍ତ୍ତୀ ସମୟରେ ପିଚୁ କରାଯିବା କଥା ଯାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ବର୍ଷାଦିନେ ଏହି ରାସ୍ତା ଦେଇ ଯିବାଆସିବା କରିବା ଅସମ୍ଭବ ହୋଇପଡୁଥିବା ବେଳେ ସେହି ରାସ୍ତାକୁ ଜବରଦଖଲ କରାଯିବା ଦ୍ୱାରା ଏବେ ଆହୁରି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗରଜଙ୍ଗା ଗ୍ରାମପଂଚାୟତର କୁଆଁରପାଳ ଗ୍ରାମ ମଙ୍ଗଳାଛକରୁ ଗରଜଙ୍ଗା ବିଲସାହି ପର୍ଯ୍ୟନ୍ତ ୫ଶହରୁ ଉର୍ଦ୍ଧ୍ୱ ବାସଗୃହରେ ଲୋକମାନେ ବସବାସ କରନ୍ତି। ଏହି ରାସ୍ତାର କିଛିଅଂଶର ଉଭୟ ପାଶ୍ୱର୍ରେ ରହିଥିବା ଲୋକ ରାସ୍ତାକୁ ଅବରୋଧକରି ବାଡବୁଜି ସେହି ସ୍ଥାନରେ ବିଭିନ୍ନ ପନିପରିବା କରିଛନ୍ତି। ଏଥିସହିତ ସେହି ଜବରଦଖଲ ସରକାରୀ ରାସ୍ତା ଉପରେ ବିଭିନ୍ନ ଗଛ ଯଥା ପିଜୁଳି, ବାଉଁଶ, ଗୁଆ, ଲେମ୍ବୁ ପ୍ରଭୃତି ଲଗାଇବା ଫଳରେ ସେହି ରାସ୍ତାଦେଇ ପଥଚାରୀଙ୍କ ସମେତ ସାଇକେଲ ଆରୋହୀ, ବାଇକ ଆରୋହୀ ଓ ଜରୁରୀ ଆବଶ୍ୟକତା ସମୟରେ ଆମ୍ବୁଲାନ୍ସ ଏବଂ ନିଆଁଲିଭା ଗାଡି ପ୍ରଭୃତି ଯାଇପାରୁନାହିଁ। ସେହି ନଦୀବନ୍ଧ ରାସ୍ତାଟି ଧିରେ ଧିରେ ସଙ୍କୁଚିତ ହୋଇପଡିବାରୁ ବନ୍ୟା ସମୟରେ ମଧ୍ୟ ବହୁ ଅସୁବିଧା ହେଉଛି। ଏଣୁ ଜବରଦଖଲ ହୋଇଥିବା ଏହି ନଦୀବନ୍ଧ ରାସ୍ତାକୁ ଜବରଦଖଲମୁକ୍ତ କରାଯିବାକୁ କୁଆଁପାଳ ଗ୍ରାମର ରାମଚଣ୍ଡି କମିଟିର ସଭାପତି ଦେବାଶିଷ ମହାପାତ୍ର, ସମ୍ପାଦକ ସରୋଜକାନ୍ତ ପତି, କୋଷାଧ୍ୟକ୍ଷ ବିଦ୍ୟାଧର ଜେନା, କୈଳାସ ଚନ୍ଦ୍ର ଦାସ, ଗଗନ ଚନ୍ଦ୍ର ଦାସ, ରଘୁନନ୍ଦନ ଜେନା, ଶ୍ରୀଚରଣ ଜେନା, ସରୋଜକାନ୍ତ ଜେନା, ମନୋଜ କୁମାର ଜେନା ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାର୍ଶାଘାଇ ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।