Odiapua.com

ନଦୀବନ୍ଧ ଗଡାଣି ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଧାରଣା

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ରାଜସ୍ୱ ଗ୍ରାମର ନାଳକୂଳସାହି ନଦୀବନ୍ଧ ଗଡାଣି ନିର୍ମାଣକୁ ଜଳସମ୍ପଦ ବିଭାଗ ଏଡାଇ ଆସୁଥିବା ପ୍ରତିବାଦରେ ଗ୍ରାମବାସୀମାନେ ଆଜି ନଦୀବନ୍ଧ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ । ଏହି ସ୍ଥାନରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରଣଜିତ ପଞ୍ଚାୟତ ମଧ୍ୟ ଦେଇ ଛତାବର-ବଳିଘାଇ ପୁର୍ତ୍ତରାସ୍ତା ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି । ହେଲେ ନଦୀବନ୍ଧ ଗଡାଣି ନିର୍ମାଣ ହୋଇନଥିବାରୁ ସଂଯୋଗୀକରଣ ହୋଇପାରୁ ନାହିଁ । ଏଥିନେଇ ବାରମ୍ବାର ଜଳସମ୍ପଦ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ବିଭାଗ ନିଦାବିଷ୍ଣୁ ସାଜିଛି । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଅକ୍ଷୟ କୁମାର ତ୍ରିପାଠୀ, ବସନ୍ତ କୁମାର ତ୍ରିପାଠୀ, ଅକ୍ଷୟ କୁମାର ଦାଶ, ପ୍ରଫୁଲ୍ଲ ବେହେରା, ଦେବିକାରାଣୀ ବେହେରା, ଅର୍ଜ୍ଜୁନ ସାହୁ, ବାବୁଲା ବେହେରା, ସଞ୍ଜୁଆ ରଣା, ପାର୍ବତୀ ବେହେରା, ପ୍ରଶାନ୍ତ ବେହେରା ପ୍ରମୁଖ ଗ୍ରାମବାସୀମାନେ ନଦୀବନ୍ଧ ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଥିଲା । ମଧ୍ୟାନ୍ନରେ ଜଳସମ୍ପଦ ବିଭାଗ ଆଖୁଆପଦା ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଗାମୀ ପନ୍ଦର ଦିନ ମଧ୍ୟରେ ନଦୀବନ୍ଧ ଗଡାଣି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆନ୍ଦୋଳନ ସ୍ଥଗିତ ରହିଥିଲା ।